ସତ୍ୟଶିଖା (ଭୁବନେଶ୍ୱର) ୦୯/୦୧/୨୦୨୧ : ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ସମୟରେ ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ନେଇଥିଲେ । ସେଥିରେ ପେଟ୍ରୋଲ ପମ୍ପରେ ଡେବିଟ୍ ଏବଂ କ୍ରେଡିଟ କାର୍ଡରେ ପେଟ୍ରୋଲ, ଡିଜେଲ କିଣିଲେ ଗ୍ରାହକଙ୍କୁ ୦.୭୫ ପ୍ରତିଶତ କ୍ୟାସବ୍ୟାକ୍ ସୁବିଧା ମିଳୁଥିଲା। କିନ୍ତୁ ୨୦୧୯ ଅକ୍ଟୋବର ପହିଲାରୁ ସରକାର କ୍ରେଡିଟ୍ କାର୍ଡରେ ଏହି ସୁବିଧା ଗ୍ରାହକଙ୍କୁ ଆଉ ପ୍ରଦାନ କରୁନାହାନ୍ତି । ଏବେ କେବଳ ଡେବିଟ୍ କାର୍ଡରେ ତେଲ କିଣିଲେ ଗ୍ରାହକଙ୍କୁ କ୍ୟାସବ୍ୟାକ୍ ମିଳିବା ନିୟମ ରହିଛି । ଅର୍ଥାତ୍ ଗ୍ରାହକ ଯଦି ୧୦୦ ଟଙ୍କାର ତେଲ କିଣୁଛନ୍ତି ତାଙ୍କ ଆକାଉଣ୍ଟକୁ ୭୫ ପଇସା ଫେରୁଛି । ଏହି ସୁବିଧା କିନ୍ତୁ ରାଜ୍ୟର ଏବେ ସବୁ ପେଟ୍ରୋଲ ପମ୍ପରେ ମିଳୁନାହିଁ । ଏ ନେଇ ଏକାଧିକ ଅଭିଯୋଗ ଗ୍ରାହକଙ୍କଠାରୁ ମିଳିବାରେ ଲାଗିଛି । ଏହି ରିହାତି ନମିଳିବା କାରଣରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି ।
ଉତ୍କଳ ପେଟ୍ରୋଲିୟମ ସଂଘର ସାଧାରଣ ସମ୍ପାଦକ ସଂଜୟ ଲାଠଙ୍କ ସୂଚନା ଅନୁଯାୟୀ, ଯେଉଁ ପେଟ୍ରୋଲ ପମ୍ପରେ ସେବା ପ୍ରଦାନକାରୀ ଭାବେ ଏଜିଏସ୍ ସଂସ୍ଥା କାର୍ଯ୍ୟ କରୁଛି ସେଠାରେ ତୁରନ୍ତ ଗ୍ରାହକଙ୍କୁ ଏହି କ୍ୟାସବ୍ୟାକ୍ ଅର୍ଥ ମିଳିଯାଉଛି । ଅନ୍ୟ ପିଓଏସ୍ରେ ଏଥିପାଇଁ କିଛି ସମୟ ଲାଗୁଛି । ତେବେ ପ୍ରୋତ୍ସାହନ ରାଶି ଗ୍ରାହକଙ୍କ ଆକାଉଣ୍ଟକୁ ନଫେରିବାର ଦୁଇଟି କାରଣ ରହିଛି ବୋଲି ସେ କହିଛନ୍ତି । ପ୍ରଥମଟି ହେଲା ଡିଜିଟାଲ କାରବାର ସଂପର୍କିତ କୌଣସି ପ୍ରକାର ବୈଷୟିକ ତ୍ରୁଟି । ଅନ୍ୟ ଏକ କାରଣ ହେଲା ପେଟ୍ରୋଲ ପମ୍ପଗୁଡ଼ିକ ଯଦି ସେମାନଙ୍କ ପିଓଏସକୁ ତେଲ କମ୍ପାନିର ୱେବସାଇଟ୍ ସହିତ ଲିଙ୍କ୍ କରି ନଥିବେ ତେବେ ଗ୍ରାହକଙ୍କ ଆକାଉଣ୍ଟକୁ କ୍ୟାସବ୍ୟାକ୍ ବାବଦ ରାଶି ଫେରିବ ନାହିଁ । ତେଣୁ ପ୍ରଥମତଃ ଡିଜିଟାଲ ଭିତ୍ତିଭୂମିକୁ ସଜାଡ଼ିବା ସହିତ କମ୍ପାନିର ୱେବସାଇଟ୍ ସହିତ ପିଓଏସ୍କୁ ଲିଙ୍କ କରିଲେ ଉକ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ମତ ଦେଇଛନ୍ତି । ତେଣୁ ପେଟ୍ରୋଲ ପମ୍ପଠାରୁ ଆରମ୍ଭ କରି ତେଲ କମ୍ପାନି, ବ୍ୟାଙ୍କ ଓ ପିଏଏସ୍ ସେବା ଯୋଗାଇ ଦେଉଥିବା ସଂସ୍ଥା ସମସ୍ତେ ସେମାନଙ୍କ ଦାୟିତ୍ବ ଠିକ୍ଭାବେ ନିର୍ବାହ କରିଲେ ଗ୍ରାହକଙ୍କୁ ଏହି ଅର୍ଥ ମିଳିପାରନ୍ତା । ଏଥିସହିତ ଅଧିକରୁ ଅଧିକ ଗ୍ରାହକ ଡେବିଟ୍ କାର୍ଡ ମାଧ୍ୟମରେ ତେଲ କିଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତେ ବୋଲି ମତ ପ୍ରକାଶ ପାଇଛି ।