ଚାଇନାର ହାଙ୍ଗଜୋଠାରେ ଆରମ୍ଭ ହେଲା ଏସୀୟ କ୍ରୀଡ଼ା ୨୦୨୩


ସତ୍ୟଶିଖା (ଭୁବନେଶ୍ୱର ) ୨୪.୦୯.୨୦୨୩ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଚାଇନାର ହାଙ୍ଗଜୋଠାରେ ଆରମ୍ଭ ହେଲା ଏସୀୟ କ୍ରୀଡ଼ା ୨୦୨୩ । ଆରମ୍ଭରୁ ଭାରତକୁ ମିଳିଲା ୨ଟି ପଦକ । ସୁଟିଂରେ ପଦକ ଜିତିଲେ ମହିଳା ଟିମ୍ । ୧୦ ମିଟର ଏୟାର ରାଇଫଲରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି ରମିତା, ମେହୁଲି ଘୋଷ ଏବଂ ଅଶି ଚୌକ୍ସି । ସେହିପରି ରୋଇଂରେ ମଧ୍ୟ ଭାରତକୁ ମିଳିଲା ପଦକ । ଭାରତ ପାଇଁ ରୌପ୍ୟ ପଦକ ଆଣିଲେ ଅର୍ଜୁନ ଲାଲ ଜାଟ୍ ଏବଂ ଅରବିନ୍ଦ ସିଂହ । ପ୍ରଥମ ଦିନ ଖେଳ ଆରମ୍ଭରୁ ୨ଟି ପଦକ ଜିତିଛି ଭାରତ ।
ଭାରତର ୬୫୫ ଜଣ ଖେଳାଳିଙ୍କ ଅଂଶଗ୍ରହଣ କରିଥିବା ବେଳେ ଉଦଘାଟନୀ ସମାରୋହରେ ଭାରତର ଧ୍ବଜା ବାହାକ ହୋଇଥିଲେ ହରମନପ୍ରୀତ ଓ ଲଭଲିନା । ସେପଟେ ମହିଳା ଟି-20 କ୍ରିକେଟ୍ ରେ ଭାରତର ଦମଦାର ବିଜୟ । ବାଂଲାଦେଶକୁ ୮ ୱିକେଟରେ ହରାଇଲା ଭାରତ । ମାତ୍ର ୮.୨ ଓଭରରେ ବିଜୟୀ ହୋଇଛି ଟିମ୍ । ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୧୭ ରନ ଦେଇ ୪ଟି ୱିକେଟ ନେଇଥିଲେ ପୂଜା । ଫଳରେ ମାତ୍ର ୫୧ ରନରେ ଅଲ୍ ଆଉଟ ହୋଇଯାଇଥିଲା ବାଂଲାଦେଶ ଟିମ୍ ।
ସେପଟେ ଟେବୁଲ୍ ଟେନିସ୍ରେ ଉଭୟ ମହିଳା ଓ ପୁରୁଷ ଖେଳିବେ ରାଉଣ୍ଡ-4 କ୍ବିଲିଫାୟର୍ ମ୍ୟାଚ୍ । ସେହିପରି ଫୁଟବଲ୍ରେ ମହିଳା ଦଳ 1ଟା 30ରେ ଥାଇଲାଣ୍ଡକୁ ଭେଟୁଥିବା ବେଳେ ସନ୍ଧ୍ୟାରେ ପୁରୁଷ ଦଳ ମିଆଁମାର ବିପକ୍ଷରେ ଖେଳିବେ । ଭାରତରୁ ମୋଟ ୬୫୫ ଜଣ ଆଥଲେଟ୍ ୪୦ଟି ଭିନ୍ନ ଭିନ୍ନ ଇଭେଣ୍ଟରେ ଭାଗ ନେଉଛନ୍ତି ।