ନ୍ୟୁଜ୍ମନୋରଞ୍ଜନସିନେମା

ଆଶା ପାରେଖଙ୍କୁ ମିଳିବ `ଦାଦା ସାହେବ ଫାଲକେ’ ଆଓ୍ବାର୍ଡ

ସତ୍ୟଶିଖା( ଭୁବନେଶ୍ୱର )୨୭.୦୯ . ୨୦୨୨:  ବଲିଉଡର ଲୋକପ୍ରିୟ ପୁରୁଖା ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ମିଳିବ ବୋଲି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ପ୍ରକାଶ କରିଛନ୍ତି। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ ପୁରସ୍କାର। ୧୯୯୨ ମସିହାରେ ବରିଷ୍ଠ ଅଭିନେତ୍ରୀ ଆଶାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା।

ବଲିଉଡ ଜଗତରେ ଆଶାଙ୍କ ଅବଦାନ ଅତୁଳନୀୟ। ସେଥିପାଇଁ ତାଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବାପାଇଁ ମନୋନୀତ କରାଯାଇଛି। ୭୯ବର୍ଷୀୟା ଆଶା ବଲିଉଡ୍‌ ଜଗତରେ ଶିଶୁ କଳାକାର ଭାବେ ପ୍ରଥମେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୦ ବର୍ଷ ବୟସରେ ୧୯୫୨ ମସିହାରେ ମା’ ଫିଲ୍ମରେ ଅଭିନୟ କରିଥିଲେ। କିଛି ବର୍ଷ ବ୍ୟବଧାନ ପରେ ସେ ନିଜର ଉଚ୍ଚ ଶିକ୍ଷା ଲାଭ କରି ୧୯୫୯ ମସିହାରେ ନିର୍ଦ୍ଦେଶକ ନାସିର ହୁସେନଙ୍କ ଦିଲ ଦେକେ ଦେଖୋ ମୁଭିରେ କମ୍‌ ବ୍ୟାକ କରିଥିଲେ। ଏହି ଚଳଚ୍ଚିତ୍ର ତାଙ୍କର ସୁପରହିଟ୍‌ ହୋଇଥିଲା। ଏହାପରେ ସେ ପଛକୁ ଅନାଇ ଦେଖି ନ ଥିଲେ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ବଲିଉଡକୁ ଦେଇଥିଲେ। ତାଙ୍କର ଉଚ୍ଚକୋଟିର ଅଭିନୟ ଆଜି ବି ବଲିଉଡ୍‌ରେ ନୂଆ ଅଭିନେତା ଅଭିନେତ୍ରୀଙ୍କ ପାଇଁ ଏକ ଉଦାହରଣ।

ବଲିଉଡ୍‌ ଛଡ଼ା ଆଶା ପାରେଖ ଗୁଜୁରାଟି, ପଞ୍ଜାବି ଏବଂ କାନ୍ନାଡା ଭାଷାରେ ମଧ୍ୟ ଫିଲ୍ମ କରିଛନ୍ତି। ଫିଲ୍ମରୁ ଅବସର ନେବାପରେ ସେ ନିଜର ଏକ ପ୍ରଡକ୍ସନ ହାଉସ୍‌ କରିଛନ୍ତି। ଗୁଜୁରାଟୀ ଟେଲି ଧାରାବାହିକ `ଜ୍ୟାତି’, ପଲାସ କେ ଫୁଲ, ବାଜେ ପାୟଲ ଏବଂ କୋରା କାଗଜ ଭଳି ସିରିୟଲକୁ ନିଜେ ନିର୍ଦ୍ଦେଶନା ଦେଇଥିବାବେଳେ ଏହାର ନିଜେ ପ୍ରଯୋଜକ ମଧ୍ୟ ଥିଲେ।

ଦାଦା ସାହେବ ଫାଲକେ ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର। ପୂର୍ବରୁ ଏହି ପୁରସ୍କାର ରାଜ କପୁର, ୟଶ ଚୋପ୍ରା, ଲତା ମଙ୍ଗେସ୍କର, ମୃଣଲ ସେନ, ଅମିତାଭ ବଚନ ଏବଂ ବିନୋଦ ଖନ୍ନାଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ୨୦୨୦ବର୍ଷ ପାଇଁ ଆଶାଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି ସ୍ପଷ୍ଟ ହୋଇଛି।

Show More
Back to top button