ବିଦେଶରାଜନୀତି

ଜୋ ବାଇଡେନ୍ ଓ କମଲା ହ୍ୟାରିସ ‘ଟାଇମ ପର୍ସନ ଅଫ ଦ ଇୟର’

ସତ୍ୟଶିଖା ୧୧/୧୨/୨୦୨୦ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଟାଇମ୍‌ ପର୍ସନ ଅଫ ଦ ଇୟର ଭାବେ ଚୟନ କରାଯାଇଛି । ଲୋକପ୍ରିୟ ପତ୍ରିକା ଟାଇମ୍‌ ପକ୍ଷରୁ ଉଭୟଙ୍କୁ ୨୦୨୦ ବର୍ଷ ପାଇଁ ‘ପର୍ସନ ଅଫ୍‌ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି । ଉଭୟ ବାଇଡେନ୍‌ ଏବଂ ହ୍ୟାରିସଙ୍କ ଫଟୋକୁ ଟାଇମ ମାଗାଜିନ୍‌ର କଭର ପୃଷ୍ଠାରେ ସ୍ଥାନିତ କରାଯାଇଛି ।ଡେମୋକ୍ରାଟିକ୍‌ ପାର୍ଟିର ଏହି ଦୁଇ ନେତା ଗତ ନଭେମ୍ବରରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇ ଇତିହାସ ରଚିଛନ୍ତି । ବାଇଡେନ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜିତ କରିଥିବାବେଳେ ହ୍ୟାରିସ୍‌ ଆମେରିକାର ପ୍ରଥମ କୃଷ୍ଣକାୟ ଏବଂ ପ୍ରଥମ ଦକ୍ଷିଣ ଏସିଆର ନାଗରିକ ଭାବେ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ଟାଇମ ପତ୍ରିକା ୨୦୧୬ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ‘ପର୍ସନ ଅଫ ଦ ଇୟର’ ଭାବେ ଚୟନ କରିଥିଲା ।ଟାଇମ ମାଗାଜିନର କଭର ପୃଷ୍ଠାରେ ୭୮ ବର୍ଷୀୟ ବାଇଡେନ ଏବଂ ୫୬ ବର୍ଷୀୟ ହ୍ୟାରିସଙ୍କ ଏକ ଫଟୋ ପ୍ରକାଶିତ ହୋଇଛି । ଏହାର ଶୀର୍ଷକ ରହିଛି ‘ଆମେରିକାର କାହାଣୀ ବଦଳୁଛି’ । ରିୟଲ ଇଷ୍ଟେଟ ଉଦ୍ୟୋଗପତିରୁ ରାଜନେତା ପାଲଟିଥିବା ଟ୍ରମ୍ପଙ୍କୁ ଗୋଟିଏ କାର୍ଯ୍ୟକାଳ ପରେ ବାଇଡେନ୍‌ ୩୦୬ ଇଲେକ୍ଟୋରାଲ କଲେଜ ଭୋଟ ହାସଲ କରି ହରାଇଛନ୍ତି । ଟ୍ରମ୍ପ ୨୩୨ ଇଲେକ୍ଟୋରାଲ କଲେଜ ଭୋଟ ପାଇଥିଲେ ।

ସୂଚନାଯୋଗ୍ୟ, ଟାଇମ ମାଗାଜିନ ୧୯୨୭ରୁ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରିଆସୁଛି । ଗତ ଗୁରୁବାର ପତ୍ରିକା ପକ୍ଷରୁ ବାସ୍କେଟବଲ ସୁପରଷ୍ଟାର ଲେବ୍ରୋନ୍‌ ଜେମ୍ସଙ୍କୁ ‘ଆଥଲେଟ୍‌ ଅଫ ଦ ଇୟର’ ଭାବେ ଚୟନ କରିଥିଲା ।

Show More
Back to top button