ରାଜ୍ୟସ୍ୱାସ୍ଥ୍ୟ

୧୧ହଜାର ନୂଆ ନର୍ସିଂ ପଦ ସୃଷ୍ଟିକୁ ମଞ୍ଜୁରୀ

ସତ୍ୟଶିଖା(ଭୁବନେଶ୍ୱର ) ୨୦.୦୮ .୨୦୨୧:  ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସ୍ୱାସ୍ଥ୍ୟସେବାକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ରାଜ୍ୟରେ ୧୧ହଜାର ୬ଟି ନୂଆ ନର୍ସିଂ ଅଫିସର ପଦବୀ ସୃଷ୍ଟି ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଏହି ପଦବୀଗୁଡ଼ିକ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ନୂଆ ପଦବୀଗୁଡ଼ିକ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ୮୭୪ଟି ପଦବୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ୫୪୦୦ଟି, ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକରେ ୨୬୯୫ଟି ପଦବୀ ସମେତ ମୋଟ ୮୯୩୩ଟି ପଦବୀ ଜିଲ୍ଲାସ୍ତରରେ ସୃଷ୍ଟି କରାଯାଇଥିବାବେଳେ ବାକି ୨୦୭୩ଟି ପଦବୀ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକ ପାଇଁ ଉଦ୍ଦିଷ୍ଟ ରହିଛି। ଏହିସବୁ ପଦବୀଗୁଡ଼ିକ ଦୁଇଟି ପର୍ଯ୍ୟାୟରେ ପୂରଣ କରାଯିବ। ଓଡ଼ିଶା ନର୍ସିଂ ସେବା ନିୟମାବଳୀ-୨୦୧୯ ଅନୁସାରେ ଏହି ପଦବୀ ପୂରଣ କରାଯିବ।

ଏହି ନୂତନ ନର୍ସିଂ ଅଫିସର ପଦବୀଗୁଡ଼ିକ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମାତୃ ଓ ଶିଶୁ ଚିକତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡିକାଲ କଲେଜରେ ପୂରଣ କରାଯିବ।

Show More
Back to top button