ନ୍ୟୁଜ୍ରାଜ୍ୟ

ଏକଲବ୍ୟ ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ

ସତ୍ୟଶିଖା( ଭୁବନେଶ୍ୱର )୦୧.୦୪.୨୦୨୨ : ଇମ୍ଫା ଗ୍ରୁପ୍ ଦ୍ୱାରା ପରିଚାଳିତ ‘‘ଇଣ୍ଡିଆନ୍ ମେଟାଲ୍ସ୍ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍‌’’ ତରଫରୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର-୨୦୨୨ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି। ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ଉଦ୍ଦିଷ୍ଟ ଏହି ବାର୍ଷିକ କ୍ରୀଡ଼ା ପୁରସ୍କାର ପାଇଁ ନଗଦ ରାଶି ପରିମାଣ ୫ ଲକ୍ଷ ଟଙ୍କା ରହିଛି। ମୁଖ୍ୟ ପୁରସ୍କାର ବ୍ୟତୀତ ଦୁଇଟି ସ୍ବତନ୍ତ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥାଏ। ଯାହାର ପୁରସ୍କାର ରାଶି ପରିମାଣ ୫୦ ହଜାର ଟଙ୍କା ଲେଖାଏଁ ରହିଛି। ଆଗ୍ରହୀ କ୍ରୀଡ଼ାବିତ୍‌ମାନେ ଓଡ଼ିଶାର ଯେକୌଣସି କ୍ରୀଡ଼ା ସଂଗଠନ/ବୋର୍ଡ/ସଂଘ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ସେମାନଙ୍କ ନାମାଙ୍କନ ପତ୍ର ପଠାଇପାରିବେ।ଏଥିପାଇଁ ପ୍ରାର୍ଥୀମାନଙ୍କର ବୟସ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ପ୍ରାର୍ଥୀମାନେ ପ୍ରାଞ୍ଜଳ ଭାବେ ନିଜର ବୟସ ପ୍ରମାଣପତ୍ର ସହିତ ଗତ ଦୁଇବର୍ଷ (୧ ଏପ୍ରିଲ୍ ୨୦୨୦ ରୁ ୩୧ ମାର୍ଚ୍ଚ ୨୦୨୨) ମଧ୍ୟରେ ରାଜ୍ୟସ୍ତରୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ହାସଲ୍ କରିଥିବା ବିଭିନ୍ନ କୃତିତ୍ୱର ପ୍ରମାଣପତ୍ର ସହିତ ଦରଖାସ୍ତ ଦାଖଲ କରିବା ଆବଶ୍ୟକ। ପ୍ରାର୍ଥିପତ୍ରଗୁଡ଼ିକ ନିଶ୍ଚିତ ଭାବେ ଆଗାମୀ ୩୧ ମେ ସୁଦ୍ଧା ‘‘ଏକଲବ୍ୟ ପରୁସ୍କାର, ଇମ୍ପାକ୍ଟ, ଇମ୍ଫା ବିଲ୍‌ଡିଂ, ଭୁବନେଶ୍ୱର-୭୫୧୦୧୦ ଠିକଣାରେ ପହଞ୍ଚିବା ଆବଶ୍ୟକ। ଅନ୍ୟ ପକ୍ଷରେ ପ୍ରାର୍ଥିପତ୍ରଗୁଡ଼ିକ [email protected]କୁ ଇ-ମେଲ୍ କରିହେବ ଏବଂ ସହାୟକ କାଗଜପତ୍ରଗୁଡ଼ିକୁ ସ୍ୱତନ୍ତ୍ର ଭାବେ ଉପରୋକ୍ତ ଠିକଣାକୁ ଡାକ ମାଧ୍ୟମରେ ପଠାଇବାକୁ ହେବ ବୋଲି ପୁରସ୍କାର କମିଟି ଆବାହକ କିଶୋର ମୋହନ ମହାନ୍ତି କହିଛନ୍ତି।

Show More
Back to top button