ରାଜ୍ୟସ୍ୱାସ୍ଥ୍ୟ

ଟିକା ନେବାର ୪ ମାସରେ ଆଣ୍ଟିବଡି ସ୍ତର କମୁଛି

ସତ୍ୟଶିଖା(ଭୁବନେଶ୍ୱର )୧୬.୦୯ .୨୦୨୧:  ଭାରତରେ ସମ୍ପୂର୍ଣ୍ଣ ଦୁଇ ଡୋଜ୍ ଟିକା ନେଇ ସାରିଥିବା ୬୧୪ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ପ୍ରଥମ ଡୋଜ୍ ନେବାର ଚାରିମାସ ଭିତରେ ସେମାନଙ୍କ ଶରୀରରେ କୋଭିଡ୍‌-୧୯ ବିରୋଧରେ ଲଢ଼େଇ କରିବା ପାଇଁ ସୃଷ୍ଟ ଆଣ୍ଟିବଡିର ସ୍ତର ଉଲ୍ଲେଖନୀୟ ଭାବେ ହ୍ରାସ ପାଉଛି। ତୃତୀୟ ବା ବୁଷ୍ଟର ଡୋଜ୍ ଟିକା ନେବା ସମ୍ପର୍କରେ ନିଷ୍ପତ୍ତି ନେବାରେ ଏହି ଅନୁଧ୍ୟାନ ସରକାରଙ୍କୁ ସାହାଯ୍ୟ କରିବ, ଯେପରି କେତେକ ପାଶ୍ଚାତ୍ୟ ଦେଶ କରୁଛନ୍ତି।

ତେବେ ଆଣ୍ଟିବଡ଼ି ସ୍ତର ହ୍ରାସ ପାଇବାର ମାନେ ନୁହେଁ ଯେ, ଟିକା ନେଇଥିବା ଲୋକଙ୍କ ଶରୀର ଆଉ ରୋଗ ବିରୋଧରେ ଲଢ଼େଇ କରିପାରିବ ନାହିଁ। କାରଣ ଶରୀରର ସ୍ମୃତି-କୋଷଗୁଡ଼ିକ ଉଲ୍ଲେଖନୀୟ ଭାବେ ସୁରକ୍ଷା ଦେବାକୁ ସମର୍ଥ ହୋଇପାରେ ବୋଲି ଅନୁଧ୍ୟାନକାରୀ ଦଳର ମୁଖ୍ୟ କହିଛନ୍ତି। ଭୁବନେଶ୍ବରସ୍ଥିତ ରିଜିଅନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଲେ ଯେ, ଅନୁଧ୍ୟାନ ଏବେ ଜାରି ରହିଛି ଏବଂ ଆଉ ଛଅମାସ ପରେ ବୁଷ୍ଟର ଡୋଜ୍ ଦରକାର କି ନାହିଁ ସେ ବିଷୟରେ ସେମାନେ କହିପାରିବେ। ଭାରତର ବିଭିନ୍ନ ଅଞ୍ଚଳରେ ସେମାନେ ଏହି ଅନୁଧ୍ୟାନ ଜାରି ରଖିଛନ୍ତି। ବ୍ରିଟିଶ ଗବେଷକମାନେ ଗତମାସରେ କହିଥିଲେ ଯେ, ଫାଇଜର/ବାୟୋଏନ୍‌ଟେକ୍ ଓ ଅଷ୍ଟ୍ରାଜେନେକା ଟିକାର ଦୁଇ ଡୋଜ୍ ନେବାର ଛଅ ମାସରେ ଏହାର ପ୍ରଭାବ ହ୍ରାସ ପାଇଥାଏ।

ଏହି ଅନୁଧ୍ୟାନର ରିପୋର୍ଟ ରିସର୍ଚ୍ଚ ସ୍କୋୟାର ପ୍ରି-ପ୍ରିଣ୍ଟ ପ୍ଲାଟଫର୍ମରେ ପ୍ରକାଶ ପାଇଛି। କିନ୍ତୁ ଏଯାଏ ଏହାର ସମୀକ୍ଷା କରାଯାଇ ନାହିଁ। ଦେଶରେ ଏ ଧରଣର ଅନୁଧ୍ୟାନ କରାଯିବାରେ ଏହା ପ୍ରଥମ। ଭାରତରେ ମୁଖ୍ୟତଃ ଦୁଇଟି ଟିକା ପ୍ରଚଳିତ। କୋଭିସିଲ୍‌ଡ ହେଉଛି ଅଷ୍ଟ୍ରାଜେନେକାର ଏକ ପ୍ରମାଣୀକୃତ ସଂସ୍କରଣ ଏବଂ କୋଭାକ୍ସିନ ଆମ ଦେଶରେ ବିକଶିତ ହୋଇଛି। ବୁଷ୍ଟର ଡୋଜ୍‌ର ଆବଶ୍ୟକତା ନେଇ ସେମାନେ ଅନୁଧ୍ୟାନ କରୁଥିଲେ ମଧ୍ୟ ପ୍ରଥମେ ଦେଶର ସମସ୍ତ ୯୪୪ ନିୟୁତ ବୟସ୍କ ଲୋକଙ୍କୁ ଟିକାକୃତ କରାଯିବାର ଆବଶ୍ୟକତା ରହିଛି। ସେମାନଙ୍କ ମଧ୍ୟରୁ ଏଯାବତ୍ ୬୦ ପ୍ରତିଶତରୁ ଅଧିକ ଲୋକ ଅନ୍ତତଃ ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ ୧୯ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଛନ୍ତି ବୋଲି ପତି କହିଛନ୍ତି।

 

Show More
Back to top button