ନ୍ୟୁଜ୍ରାଜନୀତିରାଜ୍ୟ

ସରିଲା ଗଣତି ; ବିଜେଡିର ଏକପାଖିଆ ବିଜୟ

ସତ୍ୟଶିଖା( ଭୁବନେଶ୍ୱର )୦୧.୦୩.୨୦୨୨ :ପଞ୍ଚାୟତ ନିର୍ବାଚନର ତୃତୀୟ ତଥା ଅନ୍ତିମ ଦିବସର ଗଣନା ସରିଆସୁଥିବାବେଳେ ବିଜେଡି ପ୍ରତିଦ୍ବନ୍ଦ୍ବୀ ଦଳଠାରୁ ବିରାଟ ବ୍ୟବଧାନରେ ଆଗରେ ରହିଛି। ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଫଳାଫଳ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ତେବେ ପଞ୍ଚାୟତ ନିର୍ବାଚନରେ ଭୋଟଗଣତି ଲାଗି ଧାର୍ଯ୍ୟ ୩ଦିନ ମଧ୍ୟରୁ ଆଜିର ଶେଷ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ଅଧିକାଂଶ ଜୋନ୍‌ରେ ବିଜେଡ଼ି କବ୍‌ଜାରେ ରହିଛି। ଚଳିତ ନିର୍ବାଚନରେ ବିଜେଡ଼ି ଯେଉଁ ମହାବିଜୟ ଆଡକୁ ଯାଉଛି ତାହା ଅତୀତରେ ନିର୍ବାଚନ ଇତିହାସରେ ଦେଖିବାକୁ ମିଳି ନଥିଲା। ନିର୍ବାଚନ ଆୟୋଗଙ୍କ ସଦ୍ୟ ସୂଚନା ଅନୁଯାୟୀ, ରାଜ୍ୟରେ ୮୫୧ ଜିଲା ପରିଷଦ ଆସନ ମଧ୍ୟରୁ ପ୍ରାୟ ୭୬୪ଟି ବିଜେଡ଼ି ସପକ୍ଷରେ ଯାଇଥିବାବେଳେ ବିଜେପି ଖାତାକୁ ୪୨, କଂଗ୍ରେସ ଖାତାକୁ ୩୮, ସ୍ବାଧୀନ ୩ ଏବଂ ଅନ୍ୟାନ୍ୟ ଦଳକୁ ୪ଟି ଆସନ ଯାଇଛି।
ସନ୍ଧ୍ୟା ୭ଟା ସୁଦ୍ଧା ୮୫୧ଟି ଜିଲା ପରିଷଦ ଆସନ ମଧ୍ୟରୁ ୬୧୦ଟିର ଫଳାଫଳ ଘୋଷଣା କରାଯାଇଛି। ସେଥିରୁ କେବଳ ବିଜେଡି ୫୪୨ଟିରେ ବିଜୟୀ ହୋଇଛି। ଗଣତି ଫଳାଫଳ ମଧ୍ୟରୁ ବିଜେଡ଼ିକୁ ୮୯ ପ୍ରତିଶତ ଆସନ ମିଳିସାରିଛି। ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସକୁ ଯଥାକ୍ରମେ ୩୧ ଓ ୩୦ଟି ଆସନ ମିଳିଥିବାବେଳେ ସ୍ୱାଧୀନକୁ ୨ଟି ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀଙ୍କୁ ୨ଟି ଆସନ ମିଳିଛି। ସ୍ବାଧୀନ ଗୋଟିଏ ଆସନରେ ଆଗରେ ଥିବା ବେଳେ ଅନ୍ୟାନ୍ୟ ଦଳ ଆଉ ୨ଟି ଆସନରେ ଆଗରେ ରହିଛନ୍ତି।
ଭୋଟ ଗଣତିର ପ୍ରଥମଦିନରେ ୩୧୫ ଜିଲା ପରିଷଦ ଆସନ ମଧ୍ୟରୁ କେବଳ ବିଜେଡ଼ି ୨୮୨ଟି ଆସନ ଜିତିଥିବାବେଳେ ବିଜେପି ୧୫ଟିରେ, କଂଗ୍ରେସ ୧୪ଟିରେ, ସ୍ବାଧୀନ ଓ ଅନ୍ୟାନ୍ୟ ଦଳକୁ ୨ଟି ଲେଖାଏଁ ଆସନ ଯାଇଛି। ସେହିପରି ଦ୍ୱିତୀୟ ଦିନରେ ୩୦୫ଟି ଜିଲା ପରିଷଦ ଆସନ ମଧ୍ୟରୁ ୨୯୫ଟି ଆସନର ଫଳାଫଳ ଆସିଛି। ଏହି ୨୯୫ଟି ଆସନରୁ ବିଜେଡି ୨୬୦ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ୧୬ଟି ଲେଖାଏଁ ଆସନ ଜିତିଛନ୍ତି। ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ହାତକୁ ଯାଇଛି ୨ଟି ଆସନ। ଏହି ପର୍ଯ୍ୟାୟର ଭୋଟ୍‌ ଗଣନାରୁ ଆଉ ୧୦ଟି ଆସନର ଫଳାଫଳ ଆସିବାକୁ ଥିବା ବେଳେ ସୋମବାର ୨୩୧ଟି ଆସନର ଗଣତି ଜାରି ରହିଛି। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ବିଜେଡ଼ି ୫୪୨ଟିରେ ବିଜୟୀ ଲାଭ କରିଥିବାବେଳେ ବିଜେପିକୁ ୩୧, କଂଗ୍ରେସକୁ ୩୦, ସ୍ବାଧୀନ ଓ ଅନ୍ୟାନ୍ୟ ଦଳକୁ ୭ଟି ଆସନ ଯାଇଛି।
୮୫୩ଟି ଜୋନ୍‌ରେ ଭୋଟ ହେବାକୁ ଥିବାବେଳେ ଦୁଇଟି ଜୋନ୍‌ରେ ବିଭିନ୍ନ କାରଣରୁ ମତଦାନ ହୋଇପାରିନାହିଁ। ତଥ୍ୟ ଅନୁଯାୟୀ ଚଳିତ ପଞ୍ଚାୟତ ନିର୍ବାଚନରେ ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ ମତଦାତାଙ୍କ ମଧ୍ୟରୁ ୨କୋଟି ୧୮ଲକ୍ଷ ୮୪ହଜାର ୬୭୫ ମତଦାତା ମତଦାନ ସାବ୍ୟସ୍ତ କରିଥିଲେ।

Show More
Back to top button