
ସତ୍ୟଶିଖା (ନୂଆଦିଲ୍ଲୀ) ୨୪/୧୧/୨୦୨୦ : ଭାରତ ନିଜ ପଡୋଶୀ ଚୀନ୍ ଓ ପାକିସ୍ତାନ ସହିତ ବିବାଦ ଲାଗି ରହିଛି । ଗୋଟିଏ ପଟେ ଚୀନ୍ ଏବଂ ଆଉ ଗୋଟିଏ ପଟେ ପାକିସ୍ତାନ ସହିତ ପ୍ରତିଦିନ ନୂଆ ନୂଆ ବିବାଦ ସ ହେଉଛି । ଯାହାକୁ ଦୃଷ୍ଟିରେ ରଖି ଭାରତ ତାର ସୀମାକୁ ଅଧିକ ସୁଦୃଢ କରିବାରେ ଲାଗିଛି । ଲଗାତର ଭାବେ ଭାରତ ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଏହି କ୍ରମରେ ଦେଶକୁ ମଙ୍ଗଳବାର ବଡ ସଫଳତା ମିଳିଛି । ଭାରତ ନିଜର ସୁପରସୋନିକ କ୍ରୁଜ ମିସାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ କରିଛି । ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଘଠନ (ଡିଆରଡିଓ) ପକ୍ଷରୁ ଏହାକୁ ବିକାଶ କରାଯାଇଛି ।
ଜୀତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ବ୍ରହ୍ମୋସ ମିସାଇଲ୍ ସଫଳ ପରୀକ୍ଷଣ କରାଯାଇଛି । ଏହି ମିଜାଇଲର ଏହା ଅପଗ୍ରେଡେଡ୍ ଭର୍ଜନର ପରୀକ୍ଷଣ ହୋଇଛି । ପରୀକ୍ଷଣ ହୋଇଥିବା ମିସାଇଲ୍ ଏକ କ୍ରୁଜ ମିସାଇଲର ଲ୍ୟାଣ୍ଡ ଆଟାକ ଭର୍ସନ । ଯାହାର ମାରକ କ୍ଷମତା ବଢାଯାଇ ୪୦୦ କିଲୋମିଟରରୁ ଅଧିକ ରଖାଯାଇଛି । ଆଜି ସକାଳ ୧୦ଟା ସମୟରେ ଏହି ପରୀକ୍ଷଣ ସଫଳତା ସହ କରାଯାଇଛି । ଭାରତୀୟ ସେନା ଓ ଡିଆର୍ଡିଓ ମିଳିତ ଭାବେ ଏହାକୁ ବିକଶିତ କରାଯାଇଛି । ଆଗାମୀ ଦିନରେ ଏହାକୁ ଉଭୟ ପାକିସ୍ତାନ ଓ ଚୀନ୍ରେ ପରୀକ୍ଷଣ କରାଯିବାକୁ ଯୋଜନା କରାଯାଇଛି ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, ବ୍ରହ୍ମୋସ ଏକ ସୁପରସୋନିକ କ୍ରୁଜ ମିଜାଇଲ । ଏହା ସଂପ୍ରତି ଭାରତୀୟ ସେନାର ସେବାରେ ନିୟୋଜିତ ରହିଛି ।୨୦୦୫ରେ ଆଇଏନଏସ ରାଜପୁତରେ ଭାରତୀୟ ନୌସେନା ଏହି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ମୁତୟନ କରାଯାଇଥିଲା । ଭବିଷ୍ୟତରେ ସମସ୍ତ ଯୁଦ୍ଧ ଜାହାଜରେ କ୍ଷେପଣାସ୍ତ୍ରର ନୂତନ ଅପଗ୍ରେଡେସନର ସୁବିଧା ସହିତ ସାମିଲ କରାଯିବ । ଏହା ପୂର୍ବରୁ ଭାରତୀୟ ସେନା ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ନିଜର ତିନି ରେଜିମେଣ୍ଟରେ ସାମିଲ କରିଥିଲା । ଭାରତ କ୍ରମାଗତ ସ୍ଵଦେଶୀ ଓ ବିଦେଶ ଯୁ୍ଦ୍ଧାସ୍ତ୍ର ସହିତ ସେନାକୁ ମଜବୁତ କରିବାରେ ଜୁଟି ଯାଇଛି । ଲଦାଖରେ ଗତ କିଛି ମାସ ହେବ ଯେଉଁ ଭଳି ଉତ୍ତେଜନା ସ୍ଥିତି ଲାଗି ରହିଛି, ଏମିତି ସମୟରେ ଭାରତକୁ ନୂତନ ହତିଆର ମିଳିବା ସେନାର ମନୋବଳକୁ ଆହୁରି ବୃଦ୍ଧି କରିବା ସହିତ ଶତ୍ରୁକୁ ଚିନ୍ତାରେ ନିଶ୍ଚୟ ପକାଇବ ।