ସତ୍ୟଶିଖା (ଭୁବନେଶ୍ୱର) ୨୮/୧୧/୨୦୨୦ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ । ଯାହାକି ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ସମ୍ଭାବ୍ୟ ବାତ୍ୟା ପୁଣି ତାମିଲନାଡ଼ୁ-ପୁଡୁଚେରି ଉପକୂଳ ମୁହାଁ ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତେବେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ଅନୁମାନ କରାଯାଉଛି। କିନ୍ତୁ ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେବା ସହ ରାଜ୍ୟରେ ପାଗ କୋହଲା ରହିପାରେ ।
ପାଣିପାଗ ବିଭାଗର କହିବାନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାକି ୩୬ ଘଣ୍ଟା ଭିତରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅବପାତ ରୂପ ନେବ । ତା’ ପରେ ଆହୁରି ଘନୀଭୂତ ହେବା ସମ୍ଭାବନା ମଧ୍ୟ ରହିଥିବା ପାଣିପାଗ ବିଭାଗ କହିଛି । ଏହା ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ ତାରିଖବେଳକୁ ତାମିଲନାଡ଼ୁ-ପୁଡୁଚେରି ଉପକୂଳ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଏହା ବାତ୍ୟା ରୂପ ମଧ୍ୟ ନେଇପାରେ । ଏହା ପ୍ରଭାବରେ ତାମିଲନାଡ଼ୁ, ପୁଡୁଚେରିରେ ପ୍ରବଳ ବର୍ଷା, ପବନ ହେବା ଆଶଙ୍କା ଅଛି ବୋଲି ମଧ୍ୟ ଆକଳନ କରାଯାଉଛି ।