ଅପରାଧନ୍ୟୁଜ୍ରାଜ୍ୟ

ପୁଣି ୫୧୦ କୋଟିର ଜିଏସ୍‌ଟି ଠକେଇ

ସତ୍ୟଶିଖା (କଟକ) ୦୨/୦୧/୨୦୨୧ : ନକଲି ବ୍ୟବସାୟିକ ସଂସ୍ଥା ସୃଷ୍ଟି କରିବା, ସେହି ସଂସ୍ଥା ନାମରେ ଜାଲ୍‌ ବିଲ୍‌ ବାହାର କରି ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ହାତେଇଥିବା ଜଣେ ଠକକୁ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସ‌ମେଣ୍ଟ୍‌ ଶାଖା ଗତକାଲି ରାତିରେ ଗିରଫ କରିଛି । ଏହି ସହିତ ୫୧୦.୨୮ କୋଟି ଟଙ୍କା ମୂଲ୍ୟର ଜାଲ୍ ବିଲ୍‌ ରୢାକେଟ୍‌ର ପର୍ଦାଫାସ ହୋଇଛି । ଏହି ଠକେଇର ମାଷ୍ଟର ମାଇଣ୍ଡ ହେଉଛି ସନ୍ଦୀପ ମହାନ୍ତି ।

ଅତି ଚତୁରତାର ସହ ସନ୍ଦୀପ ଜାଲ୍ କଂପାନି ସୃଷ୍ଟି କରୁଥିଲା । ସେହି କଂପାନିଗୁଡ଼ିକ ନାମରେ ଜାଲ୍ ବିଲ୍‌ ସୃଷ୍ଟି କରି ଇନ୍‌ପୁଟ୍ କ୍ରେଡିଟ୍ ହାତଉଥିଲା । ସେ ୨୨ଟି ନକଲି କଂପାନି ଗଠନ କରି ୧୬୬ କୋଟି ଟଙ୍କାର ଜାଲ୍ କିଣା ବିଲ୍ ପ୍ରସ୍ତୁତ କରି ୨୭.୧୧ କୋଟି ଟଙ୍କାର ଇନ୍‌ପୁଟ୍‌ କ୍ରେଡିଟ୍ ହାସଲ କରିଥିଲା । ସେହି ସମାନ ଢଙ୍ଗରେ ସେ ୩୪୪ କୋଟି ଟଙ୍କା ଜାଲ୍ କିଣା ବିଲ୍ ମାଧ୍ୟମରେ ୬୧.୬୯ କୋଟି ଟଙ୍କା ଇନ୍‌ପୁଟ୍ କ୍ରେଡିଟ୍ ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀଙ୍କୁ ହସ୍ତାନ୍ତର କରିଛି । ପୁଣି ଥରେ ନକଲି ସଂସ୍ଥା ସ୍ଥାପନ କରି ଇନ୍‌ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ହଡ଼ପ କରିବା ଯୋଜନା କରୁଥିବା ବେଳେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ୍‌ ଶାଖା ହାତରେ ସନ୍ଦୀପ ଧରାପଡ଼ିଛି । ନକଲି ସଂସ୍ଥାଗୁଡ଼ିକର ପଞ୍ଜୀକରଣ ତୁରନ୍ତ ରଦ୍ଦ କରିବା ଲାଗି ଅଧିକାରୀମାନଙ୍କୁ କୁହାଯାଇଛି । ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ହାତେଇବା ବ୍ୟତୀତ ଟିକସ ଫାଙ୍କିବା, ବ୍ୟାଙ୍କ ଋଣ ଦୁର୍ନୀତି, ବେଆଇନ ନଗଦ କାରବାର ଏବଂ ହୱାଲା କାରବାର ଥିଲା ସନ୍ଦୀପର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଓଡ଼ିଶା ବାଣିଜ୍ୟକର ଓ ଜିଏସ୍‌ଟି କମିସନର ସୁଶୀଲ କୁମାର ଲୋହାନୀ କହିଛନ୍ତି ।୨୦୨୦ ନଭେମ୍ବରରେ ଏନ୍‌ଫୋର୍ସମେଣ୍ଟ୍‌ ୱିଙ୍ଗ୍‌ ଦ୍ବାରା ତଥ୍ୟ ବିଶ୍ଳେ‌ଷଣ ଓ ଗୁଇନ୍ଦା ସୂତ୍ରକୁ ଆଧାର କରି ରାଜ୍ୟବ୍ୟାପୀ ଚଢ଼ଉ କରାଯାଇଥିଲା । ସେହି ସମୟରେ ସନ୍ଦୀପର ଏହି ଠକାମି ବିଷୟରେ ଜଣାପଡ଼ିଥିଲା । ସେହି ଚଢ଼ଉ ବେଳେ ୧୦୦ରୁ ଅଧିକ ଜାଲ୍ ଏବଂ ଭୂତ ସଂସ୍ଥା ସାମ୍ନାକୁ ଆସିଥିଲା ।  ସେଗୁଡ଼ିକୁ ଦେବଗଡ଼, ବଲାଙ୍ଗୀର, ଖୋର୍ଦ୍ଧା, ରାଉରକେଲା, ଜଗତସିଂହପୁର, ଢେଙ୍କାନାଳ, ଭୁବନେଶ୍ବର, କଟକ, ପୁରୀ ଆଦି ସ୍ଥାନର ବିଭିନ୍ନ ବେକାର ଯୁବକ, ଗୃହିଣୀ, କୃଷକ, ବରିଷ୍ଠ ନାଗରିକ ଏବଂ ଦିନ ମଜୁରିଆଙ୍କ ନାମରେ ଖୋଲାଯାଇଥିଲା । ଜିଏସ୍‌ଟି ଆଇନରେ ପଞ୍ଜୀକରଣକୁ ନେଇ ଥିବା କୋହଳ ବ୍ୟବସ୍ଥାର ମନଇଚ୍ଛା ଫାଇଦା ଉଠାଇବାକୁ ସେ ପ୍ରୟାସ ଚଳାଇଥିଲା ।

ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ୍‌ ଶାଖା ତରଫରୁ ବର୍ତ୍ତମାନ ସୁଦ୍ଧା ୧୭ ଜଣ ଠକଙ୍କୁ ଗିରଫ କରାଯାଇଥିବା ବେଳେ ୫୧୨୦ କୋଟି ଟଙ୍କାର ଜାଲ୍ ବିଲ୍‌ ରୢାକେଟ୍‌ ଧରାପଡ଼ିଛି । ଏହି ରୢାକେଟ୍‌ ମାଧ୍ୟମରେ ୯୭୦ କୋଟି ଟଙ୍କାର ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ୍ ହସ୍ତାନ୍ତର ହୋଇଛି । ଦୁଇଟି ଆର୍ଥିକ ବର୍ଷରେ ରାଜ୍ୟ ଜିଏସ୍‌ଟି ବିଭାଗ ୧୯,୫୩୯ ବ୍ୟବସାୟୀଙ୍କ ପଞ୍ଜୀକରଣ ରଦ୍ଦ କରିଛନ୍ତି ।

Show More
Back to top button