ଆଉ ଜଣେ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍

ସତ୍ୟଶିଖା(ପୁରୀ) ୨୨.୦୫.୨୦୨୧: ଆଜି ପୁରୀରେ ପୁଣି ଜଣେ ମହାରଣା ଓ ଜଣେ ଭୋଇ ସେବକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ରଥକାମ କରୁ ନ ଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି।

ଏହାକୁ ମିଶାଇ ୨୦ ଜଣ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍ ଚିହ୍ନଟ ହେଲେଣି। ଗତକାଲି ୧୦ ଜଣ (୯ ଜଣ ମହାରଣା ଓ ଜଣେ ଭୋଇ ସେବକ) ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତା’ପୂର୍ବ ଦିନ ୮ ଜଣ (୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ) ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଅନ୍ୟପକ୍ଷରେ ରଥଖଳାରୁ କରୋନା ସଂକ୍ରମିତ ଚିହ୍ନଟ ପରେ ଏହାକୁ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ରଖାଯାଇଛି। ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ ବ୍ୟତୀତ ଆଉ କେହି ରଥଖଳା ମଧ୍ୟକୁ ଯାଇପାରିବେ ନାହିଁ।

ସୂଚନା ଅନୁଯାୟୀ, ଏବେ ରଥଖଳାରେ ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଛି। ମୋଟ ୪୨ଟି ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହା ଶେଷ ପର୍ଯ୍ୟାୟ ପହଞ୍ଚି ସାରିଛି। ସେହିଭଳି ତୁମ୍ବରେ ବିନ୍ଧ ପାଇଁ ଏବେ ସୂତା ବାଡ଼ିଆ କାର୍ଯ୍ୟ ଚାଲିଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୧୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତା’ମଧ୍ୟରେ ପୁରୀ ଜିଲ୍ଲାରୁ ୪୭୩ ଜଣ ଅଛନ୍ତି। ସେହିଭଳି ଜିଲ୍ଲାରେ ଆଉ ୩ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୯ରେ ପହଞ୍ଚି ଯାଇଛି।

Exit mobile version