ଆସୁଛି ଆଉ ଏକ ଲଘୁଚାପ, ୮ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା

ସତ୍ୟଶିଖା( ଭୁବନେଶ୍ୱର )୧୦.୦୮. ୨୦୨୨: ଉତ୍ତର ଓ ଆଭ୍ୟନ୍ତୀରଣ ଓଡ଼ିଶା ଉପରେ ଥିବା ଅବପାତ କ୍ରମଶଃ ଦୁର୍ବଳ ହୋଇ ସ୍ପଷ୍ଟ ଲଘୁଚାପରେ ପରିଣିତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଧୀରେଧୀରେ କମିବା ଆରମ୍ଭ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ।

ତେବେ ଆସନ୍ତାର ୧୩ ତାରିଖ ବେଳକୁ ପୁଣି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶାଙ୍କା ରହିଛି। ଉତ୍ତର ବଙ୍ଗୋପସାଗର ଉପରେ ୧୩ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବ। ଏହାପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି।

ଲଘୁଚାପ ଯୋଗୁ ୧୩ ତାରିଖରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ୧୩ ତାରିଖରେ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡିରେ ଅତି ପ୍ରବଳ ବର୍ଷା ଅର୍ଥାତ ୭ରୁ ୨୦ ସେମି ଯାଏ ବୃଷ୍ଟିପାତ ହୋଇ ପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୧୧ ତାରିଖ ସକାଳ ୮ଟା୩୦ରୁ ୧୨ ତାରିଖ ସକାଳ ୮.୩୦ ଯାଏ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ୱର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୨ ତାରିଖ ସକାଳ ୮.୩୦ରୁ ୧୩ ତାରିଖ ସକାଳ ୮.୩୦ ଯାଏ ଜଗତସିଂହପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାରଯାଇଛି।

ତଳିଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇପାରେ। ଏହାବାଦ ୧୩ ତାରିଖ ସକାଳ ୮.୩୦ରୁ ୧୪ ତାରିଖ ୮.୩୦ ଯାଏ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଗଜପତି, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ, ରାୟଗଡ଼ା, ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ସୋନପୁର, ସମ୍ବଲପୁର ଓ ବଲାଙ୍ଗିରରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗତ କିଛି ଦିନ ହେବ ଲଘୁଚାପ ପ୍ରଭାବରେ ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ଲାଗି ରହିଛି। ଫଳରେ ମହାନଦୀ ଉପର ମୁଣ୍ଡ ଓ ତଳ ମୁଣ୍ଡରେ ଜଳସ୍ତର ବୃଦ୍ଧି ପାଉଛି। ସେହିଭଳି ଦକ୍ଷିଣ ଓଡ଼ିଶାର ସବୁ ନଦୀ ଫୁଲୁଛି। ଏପରି ସ୍ଥିତିରେ ୧୩ ରୁ ଲଗାଣ ବର୍ଷାର ପୂର୍ବାନୁମାନ ବନ୍ୟା ଆଶଙ୍କାର ଭୟ ସୃଷ୍ଟି କରିଛି। ପ୍ରବଳ ବର୍ଷା ଓ ଲଘୁଚାପ ଯୋଗୁ ମତ୍ସ୍ୟଜୀବୀଙ୍କୁ ୧୨ରୁ ୧୪ ତାରିଖ ଯାଏ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।

Exit mobile version