୪୮ ଘଣ୍ଟାରେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବ।

ସତ୍ୟଶିଖା ୨୫/୦୮/୨୦୨୫: ୨୯ ତାରିଖ ଯାଏ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୫ ତାରିଖ (ସୋମବାର) କେନ୍ଦ୍ରାପଡ଼ା  ଓ ଜଗତ୍‌ସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ଦୁଇ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ  ୱାର୍ଣ୍ଣିଂ ଜାରି କରିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକର   କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରେ କନ୍ଧମାଳ ଓ ଗଜପତିରେ ପ୍ରବଳରୁ   ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ   ୱାର୍ଣ୍ଣିଂ ଜାରି ହୋଇଛି । ଗଞ୍ଜାମ, ରାୟଗଡ଼ା,  ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ ଓ  କେନ୍ଦୁଝରରେ ଭାରୀ ବର୍ଷା ଆଶଙ୍କା ଅଛି ।  ୨୭ ଓ ୨୮ ତାରିଖରେ ଦକ୍ଷିଣ ଓଡ଼ିଶା ଓ  ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା  ହୋଇପାରେ ବୋଲି ଆକଳନ କରାଯାଇଛି ।

ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ  ନଦୀର ଆଖୁଆପଦାରେ ଜଳସ୍ତର ବିପଦ ସଙ୍କେତକୁ ଟପିଛି । ଏଠାରେ ବିପଦ ସଙ୍କେତ ସ୍ତର ୮୦.୩୩ ମିଟର ଥିବାବେଳେ ୮୦.୫୫  ମିଟର ଉଚ୍ଚତାର ବନ୍ୟା ଜଳ ପ୍ରବାହିତ ହେଉଛି। କେନ୍ଦୁଝର ଆନନ୍ଦପୁରରେ ବୈତରଣୀର ନଦୀ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ସୁବର୍ଣ୍ଣରେଖାର ଜାମଶୋଳାଘାଟ ଓ ରାଜଘାଟଠାରେ  ମଧ୍ୟ ନଦୀ ଜଳ ବିପଦ ସଙ୍କେତ ଉପରେ ଚାଲିଛି। ତେବେ ମହାନଦୀରେ ବନ୍ୟା ସ୍ଥିତି ନାହିଁ। ରାତି ୯ଟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୨୧.୭୩ ମିଟର ରହିଛି। ଖଇରମାଳରେ ପ୍ରତି ସେକେଣ୍ଡକୁ ୨ ଲକ୍ଷ ୬୪ ହଜାର, ମୁଣ୍ଡଳୀରେ ୧ ଲକ୍ଷ ୪୬ ହଜାର ଜଳ ନିଷ୍କାସନ ହେଉଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ଏ ବର୍ଷ   ସୁବର୍ଣ୍ଣରେଖାରେ ପଞ୍ଚମ ବନ୍ୟା ଆସିଛି। ସୁବର୍ଣ୍ଣରେଖାରେ ଛୋଟରୁ ମଧ୍ୟମ ବନ୍ୟା ହୋଇଛି। ବୈତରଣୀରେ ଛୋଟ ଧରଣରେ ବନ୍ୟା ହୋଇଛି ।

ଲଗାଣ ବର୍ଷା ଯୋଗୁ ଏହି ସ୍ଥିତି ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟାରେ ବୈତରଣୀ ବେସିନ୍‌ କେନ୍ଦୁଝର  ଓ ଝାଡ଼ଖଣ୍ଡରେ ୪୨.୫୭ମିମି ବର୍ଷା ହୋଇଛି । ଉପର ବ୍ରାହ୍ମଣୀରେ ୩୫ମିମି ବର୍ଷା ଓ ଉପର ମହାନଦୀରେ ୩୧ମିମି ବର୍ଷା ହୋଇଛି । ବଂଶଧାରା  ଓ ବୁଢ଼ାବଳଙ୍ଗରେ ପାଣି ଅଧିକ ଥିଲେ ବି କମିଯିବ। ବୈତରଣୀରେ ଗତକାଲି ବର୍ଷା ହୋଇଛି । ବନ୍ୟା ହୋଇଛି, ଆଗକୁ ଆହୁରି ବଢ଼ିବ। ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢ଼ିଛି ।

ରବିବାର ଆଉ ୪ଟି ଗେଟ୍‌ ଖୋଲିଛି ଓ ମୋଟ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି । ଗତକାଲି ଉପର ମହାନଦୀରେ ୩୧.୩୩ ମିମି ବର୍ଷା ହୋଇଥିଲା । ରେଙ୍ଗାଲି ଡ୍ୟାମରେ ଦୁଇଟି ଗେଟ୍‌ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେବ।ଜେନାପୁରରେ ଜଳସ୍ତର ବିପଦ ସଙ୍କେତ ତଳେ ଅଛି । ଯାଜପୁରରେ ମୁଖ୍ୟ ଯନ୍ତ୍ରୀ ଓ ଧାମନଗରରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କ୍ୟାମ୍ପ କରି ରହିଛନ୍ତି । ବିଭିନ୍ନ ନଦୀ ବନ୍ଧର ତୁରନ୍ତ ମରାମତି ହେଉଛି ବୋଲି ସେ କହିଛନ୍ତି।

Exit mobile version