ଆଜିଠୁ ଆଉ ଏକ ଲଘୁଚାପ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା l


ସତ୍ୟଶିଖା ( ଭୁବନେଶ୍ୱର ) ୧୯ .୦୮.୨୦୨୦ :ଦାନା ବାନ୍ଧିଲାଣି ଆଉ ଗୋଟିଏ ଲଘୁଚାପ । ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଓ ସକ୍ରିୟ ମୌସୁମୀ ପ୍ରଭାବରେ ଆଜି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଆଗାମୀ ୨୪ ଘଣ୍ଟା ମଧ୍ୟେରେ ଏହା ଅଧିକ ଘନିଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ୧୨ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ଲାଗି ରହିବ । ପ୍ରବଳରୁ ପ୍ରବଳତର ବର୍ଷା ହେବ ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଏବଂ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ । କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଲଗାଣ ବର୍ଷା ପୂର୍ବାନୁମାନ ପରେ ପୁଣି ଥରେ ବନ୍ୟା ଚିନ୍ତା ବଢ଼ିଛି । ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମହାନଦୀ ଫୁଲିପାରେ । ଅନ୍ୟପକ୍ଷରେ ଉତ୍ତର ଓଡ଼ିଶା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀ ଉଛୁଳିବା ସହ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି ।
ସମ୍ଭାବ୍ୟ ସ୍ଥିତିକୁ ଦେଖି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଲଗାଣ ବର୍ଷାକୁ ଲକ୍ଷ୍ୟ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ପାଣିପାଗ ବିଭାଗ ବିଭାଗ ସତର୍କ କରାଇ ଦେଇଛି, ବୁଧବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ । ଭଦ୍ରକ, କେନ୍ଦୁଝର, ଯାଜପୁର, ବଲାଙ୍ଗିର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କଟକ, କେନ୍ଦ୍ରାପଡା଼ ଓ ସୋନପୁରର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଅନୁଗୁଳ, ଦେବଗଡ଼, ସମ୍ବଲପୁରର କେତେକ ଜାଗାରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଲଗାଣ ବର୍ଷାରେ ତଳି ଇଲାକାରେ ପାଣି ପଶିବା ସହ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇପାରେ । ଏହାବାଦ୍ ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡ଼ା, ବରଗଡ଼, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି ଓ କୋରାପୁଟରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୦ ତାରିଖ (ଗୁରୁବାର) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ଦେବଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବଲାଙ୍ଗିର, ନୂଆପଡ଼ାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ପୂର୍ବାନୁମାନକୁ ନେଇ ସରକାର ଆଶଙ୍କା କରୁଛନ୍ତି, ଲଗାଣ ବର୍ଷାରେ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ଜଳସ୍ତର ବଢ଼ିପାରେ । ହେଲେ ବର୍ତ୍ତମାନ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ଜଳସ୍ତର ସତର୍କ ସଙ୍କେତରୁ ବହୁ ତଳେ ପ୍ରବାହିତ ହେଉଛି ।
ଭିନ୍ନ ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ । ତାଙ୍କ ଆକଳନ ଅନୁଯାୟୀ ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ପ୍ରଭାବରେ ମହାନଦୀ ଫୁଲିପାରେ । ଲଗାଣ ବର୍ଷାରେ ଉପକୂଳ ଓଡ଼ିଶାର ତଳି ଇଲାକାରେ ପାଣି ଜମିବା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ବି ନଦୀ ଜଳସ୍ତର ବଢ଼ିବ । ତେବେ ଉତ୍ତରରେ ବର୍ଷା କମ୍ ରହିବ । ସେ କହିଛନ୍ତି, ୧୯ ତାରିଖ ଅପରାହ୍ନରୁ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଭାରି ବର୍ଷା ସମ୍ଭାବନା ଅଛି । କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଭଦ୍ରକରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଅବିଭକ୍ତ ବଲାଙ୍ଗିର, ଅବିଭକ୍ତ କୋରାପୁଟ, ଅବିଭକ୍ତ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶା ସୀମାନ୍ତରେ ସ୍ୱଳ୍ପରୁ ମଧ୍ୟମରୁ ବର୍ଷା ହୋଇପାରେ ।
୨୦ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ । ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର ଓ ଅବିଭକ୍ତ ଗଞ୍ଜାମରେ ଭାରି ବର୍ଷା ହୋଇପାରେ । ଅନ୍ୟ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ । ୨୧ରୁ ବର୍ଷା କମିବ । ଏହି ଲଘୁଚାପ ଯୋଗୁ ୨୦ ଓ ୨୧ରେ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହା ଫଳରେ ମହାନଦୀ ଜଳସ୍ତର ଫୁଲିପାରେ । ୧୯ ଓ ୨୦ରେ ଦକ୍ଷିଣରେ ଋଷିକୂଲ୍ୟା ନଦୀ ଜଳସ୍ତର ବଢ଼ିବା ସମ୍ଭାବନା ଅଛି । ସେହିପରି ୨୦ ଓ ୨୧ରେ ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ନଦୀ ଜଳସ୍ତର ବଢ଼ିପାରେ । ଦୁଇଦିନ ତଳର ସ୍ଥିତି ତୁଳନାରେ ବର୍ତ୍ତମାନ ସବୁ ନଦୀରେ ଜଳ ସ୍ତର କମିଛି । ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍କୁ ଆଜି ବନ୍ଦ କରାଯାଇଛି । ଏବେ ୧୮ଟି ଗେଟ୍ ଖୋଲା ଅଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨, ୬୩, ୩୮୫ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨, ୯୧, ୯୮୫ କ୍ୟୁସେକ ଜଳ ଛଡ଼ାଯାଉଛି । ଉପରମୁଣ୍ଡରେ ବର୍ଷା କମିଥିବାରୁ ଜଳସ୍ତର କମୁଛି ।