

ସତ୍ୟଶିଖା (ଭୁବନେଶ୍ୱର) ୨୦/୦୧/୨୦୨୧ : ଆଜି ପୁଣି କମିସନରେଟ୍ ପୁଲିସର ସାଇବର ହେଲ୍ପ ଡେସ୍କରେ ଏକ ଅଭିଯୋଗ ହୋଇଛି । କଷ୍ଟମର୍ କେୟାର୍ ନାଁରେ ଠକ ଜଣେ ମହିଳା ଫୋନ୍ ପେ’ ଗ୍ରାହକଙ୍କ ୪୦ ହଜାର ଟଙ୍କା ଚଳୁ କରି ଦେଇଛି । ଗତ ୫ ତାରିଖରେ ଘଟିଥିବା ଏହି ଠକେଇ ବାବଦରେ ମହିଳାଜଣକ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ସାଇବର ହେଲ୍ପ ଡେସ୍କରେ ଜଣାଇଛନ୍ତି ।
ସୂଚନାନୁସାରେ, ସଙ୍ଗୀତା ମାଷ୍ଟର କ୍ୟାଣ୍ଟିନ୍ ଛକସ୍ଥିତ ବୁକ୍ଷ୍ଟୋରରୁ କିଛି ବହି କିଣିଥିଲେ । ଫୋନ୍ ପେ’ ଜରିଆରେ ସେ ୫୮୦ ଟଙ୍କା ଦେଇଥିଲେ । ତେବେ ଉକ୍ତ ଟଙ୍କା ତାଙ୍କ ଆକାଉଣ୍ଟରୁ କଟିଥିଲେ ମଧ୍ୟ ଦୋକାନୀଙ୍କ ଆକାଉଣ୍ଟକୁ ଯାଇ ନଥିଲା । ପରଦିନ ମଧ୍ୟ ବହି ଦୋକାନୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚି ନଥିଲା । ଗୁଗୁଲ୍ ସର୍ଚ୍ଚ କରି ସେ ଫୋନ୍ ପେ’ କେୟାର ନମ୍ବର ଲେଖାଥିବା ଏକ ନମ୍ବର(୦୮୦୬୮୭୨୭୩୪) ପାଇଥିଲେ । ଏହି ନମ୍ବରକୁ କଲ୍ କରିବାରୁ ଜଣେ ଫୋନ୍ ଉଠାଇଥିଲେ ଓ ସଙ୍ଗୀତାଙ୍କ ଅଭିଯୋଗ ଶୁଣିଥିଲେ । ଏତିକିବେଳେ ସଙ୍ଗୀତାଙ୍କ ଫୋନ୍କୁ ଏକ ମେସେଜ୍ ଆସିଥିଲା । ଫୋନ୍ ପେ’ ଆପ୍ ଖୋଲି ମୋବାଇଲ ନମ୍ବରର ଶେଷ ୫ଟି ନମ୍ବର ଶୂନ୍ୟସ୍ଥାନରେ ଭରିବାକୁ ସେଥିରେ ନିର୍ଦ୍ଦେଶ ଥିଲା । ସଙ୍ଗୀତା ସେୟା କଲେ। ମାତ୍ର କେଇ ସେକେଣ୍ଡ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୩୯ ହଜାର ୪୩୫ ଟଙ୍କା କଟି ଯାଇଥିଲା । ସେତେବେଳେ ହିଁ ସଙ୍ଗୀତା ଏକ ଠକ ହାବୁଡ଼ରେ ପଡ଼ିଗଲେ ବୋଲି ଜାଣିଲେ । ସୂଚନାଯୋଗ୍ୟ ଏହି ନମ୍ବର ଏବେ ବି ଗୁଗୁଲ୍ରେ ରହିଛି ।