ସତ୍ୟଶିଖା(ଭୁବନେଶ୍ୱର) ୨୬.୦୭.୨୦୨୧: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୪୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୬୮୮ଟି ହେଉଛି ଲୋକାଲ୍ କେସ୍। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୨ ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି ପାଇଛି।
୧୬୩୭ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୯ ହଜାର ୧୮୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୪୫ ହଜାର ୧୭୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୮ ହଜାର ୩୮୧ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ ଯେଉଁ ୬୨ ମୃତଙ୍କ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୧୦, କେନ୍ଦୁଝରରୁ ୪ ଓ ଯାଜପୁରରୁ ୨ ଜଣ ଅଛନ୍ତି। ସେହିପରି ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।
ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୯୯ରେ ପହଞ୍ଚିଥିବା ବେଳେ ସୁନ୍ଦରଗଡ଼ରେ ୪୭୯, ଗଞ୍ଜାମରେ ୪୨୮, ପୁରୀରେ ୩୩୪, କେନ୍ଦୁଝରରେ ୧୨୦, ଜଗତସିଂହପୁରରେ ୮୯, କନ୍ଧମାଳରେ ୬୮ ଓ ଯାଜପୁର ଜିଲ୍ଲାରେ ୬୨ରେ ପହଞ୍ଚିଛି।