

ସତ୍ୟଶିଖା(ଭୁବନେଶ୍ୱର) ୦୯.୦୪.୨୦୨୧:
ଦେଶରେ କରୋନାର ଦ୍ଵିତୀୟ ଲହର ଏବେ ଚିନ୍ତା ବଢାଇଛି। ଦିନକୁ ଦିନ ବଢି ଚାଲିଛି ସଂକ୍ରମଣ। ଅବଶ୍ୟ କରୋନା ଟିକା ଲୋକଙ୍କ ମନରେ ଟିକେ ଆଶ୍ଵସ୍ତି ଆଣିଛି। ହେଲେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ନୁହେଁ। ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକା ଦିଆଯିବାର ବ୍ୟବସ୍ଥା ରହିଛି। ଆଗକୁ ବୟସ ହାର କମିବା ଅପେକ୍ଷାରେ ଲୋକେ ରହିଛନ୍ତି। ତେବେ କରୋନା ଟିକା ନେବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ। ସେଥିପାଇଁ ୨୪ ଘଣ୍ଟା ଭିତରେ ଏପରି କରିବା ଆଦୌ ଉଚିତ ନୁହେଁ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି।
ସ୍ଵାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଟିକା ନେବାର ୨୪ଘଣ୍ଟା ପୂର୍ବରୁ କୌଣସି ପ୍ରକାର ଯନ୍ତ୍ରଣା ଦୂର କରିଲା ଭଳି ଔଷଧ ସେବନ କରନ୍ତୁ ନାହିଁ। ଏପରି କିଛି ଔଷଧ ଅଛି ଯାହା ଟିକାର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିପାରେ। ତେଣୁ ଟିକା ନେବା ପୂର୍ବରୁ ଏହି ଔଷଧ ସେବନ କରିବା ଅନୁଚିତ।
କରୋନା ଟିକା ନେବା ପୂର୍ବରୁ ଆଲକୋହଲ ଜାତୀୟ ପଦାର୍ଥ ଆଦୌ ସେବନ କରନ୍ତୁ ନାହିଁ। ମଦ ପାଇଁ ଆପଣଙ୍କୁ ଡିହାଇଡ୍ରେସନ ଓ ହ୍ୟାଙ୍ଗଓଭର ହୋଇପାରେ। ଯାହାକି ଟିକାର ପ୍ରଭାବକୁ ହ୍ରାସ କରିବ। ଟିକା ନେବା ପୂର୍ବରୁ ପ୍ରଚୁର ପାଣି ପିଇବା ସହିତ ହାଇଡ୍ରେଟ ରୁହନ୍ତୁ।
ଟିକା ନେବାର ଗୋଟିଏ ରାତି ପୂର୍ବରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରୁହନ୍ତୁ ନାହିଁ। ଭଲ ନିଦ ହୋଇଥିଲେ ଟିକା ଶରୀର ପ୍ରତି ଭଲ ପ୍ରଭାବ ପକାଇଥାଏ। ଟିକା ନେବା ପରେ ଭଲରେ ଶୋଇବା ଉଚିତ।
କୌଣସି ଦୁଇଟି ଟିକା ଦୁଇଦିନରେ ନେଇ ପାରିବେ। କିନ୍ତୁ କରୋନା ଟିକା କ୍ଷେତ୍ରରେ ଏପରି କରିବାକୁ ଡାକ୍ତର ବାରଣ କରିଛନ୍ତି। ଯଦି ଜ୍ଵର ପାଇଁ କୌଣସି ଟିକା ନେଇଛନ୍ତି ତେବେ ସେହିଦିନ କରୋନା ଟିକା ନେଇ ପାରିବେ ନାହିଁ। ଅତିକମରେ ୧୪ଦିନ ପରେ ଯାଇ କରୋନା ଟିକା ନେବେ। ସେହିପରି କରୋନା ଟିକା ନେଇଥିଲେ ଯଦି ଅନ୍ୟ କୌଣସି ଟିକା ନେବା ଜରୁରୀ ରହିଛି ତେବେ ଅତିକମରେ ୧୪ ଦିନ ଅପେକ୍ଷା କରନ୍ତୁ।
କୌଣସି ବ୍ୟକ୍ତି ଭୟଭୀତ ହୋଇ କରୋନା ଟିକା ନିଅନ୍ତୁ ନାହିଁ। କରୋନା ଟିକା ନେବା ପୂର୍ବରୁ ନିଜକୁ ପୂରାପୂରି ପ୍ରସ୍ତୁତ ରଖନ୍ତୁ। ଟିକା ନେବା ପରେ ହଡବଡ଼ାନ୍ତୁ ନାହିଁ। ଶାନ୍ତିରେ ବସି ରହନ୍ତୁ। କାରଣ ଟିକା ନେବା ପରେ କୌଣସି ପାର୍ଶ୍ଵପ୍ରତିକ୍ରିୟା ଦେଖାଦିଏ ସେଠାରେ ଥିବା ଡାକ୍ତର ଆପଣଙ୍କ ଚିକିତ୍ସା କରି ପାରିବେ।
ଯେଉଁ ଲୋକମାନେ ଦେଢ଼ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି କିମ୍ବା ବ୍ଲଡ ପ୍ଲାଜମା/ମୋନୋକ୍ଲୋନଲ ଆଣ୍ଟିବଡ଼ି ଥେରାପି ନେଇଛନ୍ତି ସେମାନେ କରୋନା ଟିକା ନେବାରୁ ନିବୃତ୍ତ ରୁହନ୍ତୁ। ଯେଉଁଲୋକମାନଙ୍କୁ କୌଣସି ଔଷଧ ସେବନ କଲେ ଏଲାର୍ଜି ହୋଇଯାଇଥାଏ ସେମାନେ କରୋନା ଟିକା ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ।