୧୦୨ ଦିନପରେ ରେକର୍ଡ କଲା କରୋନା : ୩୫ ହଜାର ଟପିଲା ଦୈନିକ ସଂକ୍ରମଣ


ସତ୍ୟଶିଖା (ନୂଆଦିଲ୍ଲୀ) ୧୮.୦୩.୨୦୨୧: କରୋନା ସଂକ୍ରମଣ ପୁଣିଥରେ ଦେଶକୁ ସଙ୍କଟରେ ପକାଇଲାଣି । ଦିନକୁ ଦିନ କିଛି ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି । ପୁଣିଥରେ ଲକ୍ଡାଉନ୍ ଫେରିବା ନେଇ ଲୋକେ ଆଶଙ୍କା କରୁଛନ୍ତି । ଚଳିତ ବର୍ଷ ୧୦୨ ଦିନ ପରେ କରୋନା ରେକର୍ଡ ସ୍ତରରେ ପହଞ୍ଚିଛି । ପ୍ରଥମ କରି ୩୫ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତାଜା ସୂଚନା ଅନୁସାରେ ବର୍ତ୍ତମାନ କରୋନା ମାମଲା ବୃଦ୍ଧି ପାଇ ୧ କୋଟି ୧୪ ଲକ୍ଷ ୭୫ ହଜାର ୬୦୫ରେ ପହଞ୍ଚିଛି । ପାଖାପାଖି ୧ ଲକ୍ଷ ୫୯ ହଜାର ୨୧୬ ଲୋକଙ୍କର ଏଥିରେ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ପ୍ରତିଦିନ ସର୍ବାଧିକ କରୋନା ମାମଲା ଦେଖିବାକୁ ମିଳୁଛି ।
ଦେଶରେ ଜାନୁଆରୀ ୧୬ରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ମାର୍ଚ୍ଚ ୧୭ ସୁଦ୍ଧା, କୋଭିଡ -୧୯ ଦ୍ୱାରା ୩ କୋଟି ୭୧ ଲକ୍ଷ ୪୩ ହଜାର ୨୫୫ ସ୍ୱାସ୍ଥ୍ୟ କର୍ମୀ, ବୃଦ୍ଧ ଏବଂ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ପୂର୍ବ ଦିନରେ୨୦ ଲକ୍ଷ ୭୮ ହଜାର ୭୧୯ ଜଣ ଲୋକଙ୍କୁ ଟିକାକରଣ କରାଯାଇଥିଲା । ଦ୍ୱିତୀୟ ଡୋଜ ଦେବା ପାଇଁ ଏହି ଅଭିଯାନ ୧୩ ଫେବୃଆରୀରୁ ପୁଣି ଆରମ୍ଭ ହୋଇଥିଲା ।
ତେବେ ଦେଶରେ କରୋନାରେ ମୃତ୍ୟୁ ହାର ୧.୩୯ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ପ୍ରାୟ ୯୭ ପ୍ରତିଶତ ରହିଛି । ସକ୍ରିୟ ମାମଲା ୨.୦୫ ପ୍ରତିଶତକୁ ବୃଦ୍ଧି ପାଇଛି । କରୋନା ଆକ୍ଟିଭ କେସ୍ରେ ଭାରତ ବିଶ୍ୱରେ ଏକାଦଶ ସ୍ଥାନରେ ରହିଥିବା ଜଣାପଡ଼ିଛି ।