

ସତ୍ୟଶିଖା(ଭୁବନେଶ୍ୱର ) ୧୦.୦୧.୨୦୨୨ : ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ । କୋଭିଡ୍ ସମୟରେ ନିର୍ବାଚନ ହେଲେ, କଣ ରହିବ କଟକଣା । କେମିତି ହେବ ନିର୍ବାଚନ ପରିଚାଳନା । ଏସବୁକୁ ନେଇ ରାଜନୈତିକ ଦଳଙ୍କଠାରୁ ମତାମତ ଲୋଡିବେ ରାଜ୍ୟ ନିର୍ବାଚନ କମିଶନର । ଏଥିରେ ଅଂଶଗ୍ରହଣ କରିବାକୁ ଥିବା ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେବେ । ସ୍ଥାନୀୟ ତୋଷାଳି ଭବନ ସ୍ଥିତି ମୁଖ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ୧୧ଟା ୩୦ରେ ଏହି ବୈଠକ ବସିବ।କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଢଙ୍ଗରେ ବ୍ୟାପକ ପରିବର୍ତ୍ତନ କରାଯିବ।
ସମ୍ପୂର୍ଣ୍ଣ କଟକଣାରେ ନିର୍ବାଚନ ପାଇଁ କମିଶନ ଗୁରୁତ୍ୱ ଦେଉଛନ୍ତି । ଏହା ପୂର୍ବରୁ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଗେଜେଟ୍ ବିଜ୍ଞପ୍ତି ଜରିଆରେ ଜଣାଇ ସାରିଛନ୍ତି । ଏବେ କେବଳ ଅପେକ୍ଷା ରାଜ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ । ଆଜିର ବୈଠକରୁ ଏକ ସକରାତ୍ମକ ସଙ୍କେତ ଆସିବ ବୋଲି ଆଶା ରଖିଛନ୍ତି ବିଭିନ୍ନ ଦଳ । ଉତ୍ତରପ୍ରଦେଶ ଓ ପଞ୍ଜାବ ସମେତ ୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶାରେ ପଞ୍ଚାୟତ ଭୋଟ୍ ପାଇଁ ବଢ଼ିଛି ସମ୍ଭାବନା। କଟକଣା ଭିତରେ ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଜାରି ରଖିଛନ୍ତି ।