(ସତ୍ୟଶିଖା) ମୁମ୍ବାଇ ୧୪/୦୭ : ମହାରାଷ୍ଟ୍ରରେ କରୋନା ଭୟଙ୍କର ହେଲାଣି | କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର ମୁମ୍ବାଇ ସହରରେ ସଂକ୍ରମଣ ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି | ଏବେ ବଲିଉଡ ସେଲିବ୍ରିଟି ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି | ୩ ଦିନ ମଧ୍ୟରେ ଅମିତାଭ, ଅଭିଷେକଙ୍କ ସମେତ ବଲିଉଡ ଓ ଟିଭି ଜଗତରର ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ବଚ୍ଚନ ପରିବାରର ୪ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ବିଏମସି ଅମିତାଭଙ୍କ ବଙ୍ଗଳା ସିଲ କରିବା ସହ ତାଙ୍କ ବଙ୍ଗଳାକୁ ସାନିଟାଈଜ କରିଛି | ବରିଷ୍ଠ ଅଭିନେତ୍ରୀ ରେଖାଙ୍କ ଘରର ଗାର୍ଡ କରୋନା ପଜିଟିଭ ଚିହ୍ନଟ ହେବାପରେ ବିଏମସି ରେଖାଙ୍କ ଘର ମଧ୍ୟ ସିଲ କରିଛି | ବଲିଉଡ ନିର୍ଦେଶିକା ଜୋୟା ଅଖତରଙ୍କ ବଙ୍ଗଳା ମଧ୍ୟ ବିଏମସି ସିଲ କରିଥିବା ଜଣାପଡିଛି |
ବଲିଉଡ ନିର୍ଦେଶିକା ଜୋୟା ଅଖତରଙ୍କ ବଙ୍ଗଳା ରେଖାଙ୍କ ବଙ୍ଗଳା ପାଖରେ ରହିଛି | ଉଭୟ ବଙ୍ଗଳା ପାଖାପାଖି ଥିବାରୁ ସୁରକ୍ଷିତ ଦୃଷ୍ଟିରୁ ବିଏମସି ତାଙ୍କ ବଙ୍ଗଳାକୁ ମଧ୍ୟ ସିଲ କରିଛି | ଏବେ ସୁଦ୍ଧା ଜୋୟା ଅଖତର କିମ୍ବା ତାଙ୍କ ପରିବାର ସଦସ୍ୟ କରୋନା ସଂକ୍ରମଣର ଶିକାର ହୋଇଥିବା ଜଣାପଡିନାହିଁ |
ରେଖାଙ୍କ ପୂର୍ବରୁ ବଲିଉଡର ଅନେକ ସେଲିବ୍ରିଟିଙ୍କ ଷ୍ଟାଫଙ୍କୁ କରୋନା ହୋଇଥିବା ଖବର ସାମ୍ନାକୁ ଆସିଛି | ଯାହାଫଳରେ ସେଲିବ୍ରିଟି ମଧ୍ୟ କ୍ଵାରେଣ୍ଟାଇନରେ ରହିଥିଲେ, ନିକଟରେ ଅମୀର ଖାନ ମଧ୍ୟ ତାଙ୍କର ଜଣେ ଷ୍ଟାଫ କରୋନା ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ | ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭର ମଧ୍ୟ କରୋନା ସଂକ୍ରମଣର ସିକର ହୋଇଛନ୍ତି | ଏ ସମ୍ପର୍କରେ ସାରା ନିଜ ଇନ୍ସଟାଗ୍ରାମ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି |