ସତ୍ୟଶିଖା (ଭୁବନେଶ୍ୱର )୦୩.୧୧.୨୦୨୩ : ଅର୍ଥ ଲୋଭୀ ଆମ୍ବୁଲାନ୍ସ ଡ୍ରାଇଭରର ଅମାନବୀୟ କାଣ୍ଡ । ଟଙ୍କା ନଦେବାରୁ ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଡ୍ରାଇଭର । ଅନ୍ଧାର ରାତିରେ ଗର୍ଭବତୀଙ୍କୁ ଅଧା ରାସ୍ତାରେ ଆମ୍ବୁଲାନ୍ସରୁ ଓହ୍ଲାଇଦେଲା ଡ୍ରାଇଭର । ଆଉ ଘଟଣାସ୍ଥଳରେ ଠିଆ ହୋଇ ମଜା ଦେଖିଲା ଡ୍ରାଇଭର । ଦୀର୍ଘ ସମୟ ଧରି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଭଡ଼ା ଅଟୋରେ ଆଣି ବାରିପଦା ପି.ଆର.ଏମ ମେଡିକାଲରେ ଭର୍ତ୍ତି କଲେ ଆଶାକର୍ମୀ ।
ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଲକ ଶଙ୍ଖାଭଙ୍ଗା ପଞ୍ଚାୟତ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଏଭଳି ଘଟଣାକୁ ବିରୋଧ କରି ଆମ୍ବୁଲାନ୍ସ ଡ୍ରାଇଭର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଏନ.ଆର୍.ଏଚ୍.ଏମ୍. ବିଭାଗର ଡି.ପି.ଏମଙ୍କୁ ଏକାଧିକ ଆଶାକର୍ମୀ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏହାର ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।