ନ୍ୟୁଜ୍ବାଣିଜ୍ୟ

ଖୁଚୁରା କ୍ଷେତ୍ରରେ ବ୍ୟାପକ ରିହାତି ସହ ଧମକା କରିବେ ଅମ୍ବାନୀ, ଫ୍ଲିପକାର୍ଟ ଓ ଆମାଜନ ସହ ହେବ ଟକ୍କର

ସତ୍ୟଶିଖା (ମୁମ୍ବାଇ) ୧୧/୧୧/୨୦୨୦ : ଭାରତର ନାମୀ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲମିଟେଡ୍ ଅନଲାଇନ ରିଟେଲ ସେକ୍ଟରରେ ପ୍ରବେଶ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି । ଦିବାଲୀ ସେଲ ମାଧ୍ୟମରେ ରିଲାଏନ୍ସ ଇ-କମର୍ସ ବଜାରରେ ପ୍ରବେଶ କରିବାକୁ ଯାଉଥିବା ବେଳେ ବଜାରରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଫ୍ଲିପକାର୍ଟ ଓ ଆମାଜନକୁ କଡ଼ା ଟକ୍କର ଦେବେ ବୋଲି ଜଣାପଡିଛି । ଭାରତୀୟ ଇ-କମର୍ସ ବଜାରକୁ ଆମାଜନ ଓ ଫ୍ଲିପ୍ କାର୍ଟ ଦୀର୍ଘ ବର୍ଷରୁ କବଳିତ କରି ରଖିଛନ୍ତି । ଏଣୁ ରିଲାଏନ୍ସ ବମ୍ପର ଡିସ୍କାଉଣ୍ଟ ମାଧ୍ୟମରେ ନିଜ ଲାଗି ନୂଆ ବଜାର ତିଆରି କରିବା ଯୋଜନାରେ ଥିବା ଜଣାପଡିଛି ।ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌  ଜିଓ ଜରିଆରେ ଟେଲିକମ୍ୟୁନିକେସନ ବଜାରକୁ ପ୍ରବେଶ କରିଥିଲେ । ନୂଆନୂଆ ବଜାର ପ୍ରବେଶ ବେଳେ ଶସ୍ତାରେ ଡାଟା ଓ ଫ୍ରି କଲିଂ ସେବା ଦେଇ ଦେଶର ମୋଟ ବଜାରକୁ ହାତେଇ ନେଇଥିଲେ । ଏବେ ରିଲାଏନ୍ସ ଠିକ୍‌ ସେହି ନୀତି ଆପଣେଇବେ ବୋଲି ପୂର୍ବାନୁମାନ କରାଯାଉଛି । ଏଥିରେ ରିଲାଏନ୍ସ ଦିବାଲୀ ସେଲରେ କନଫେକ୍ସନରୀ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଥିବା ବେଳେ ରିଲାଏନ୍ସ ଡିଜିଟାଲ ୱେବ୍‌ ସାଇଟ୍‌ରେ ମୋବାଇଲ ଫୋନ ବେଶ ଶସ୍ତା ଦରରେ ବିକୁଥିବା ଜଣାପଡିଛି ।ରିଲାଏନ୍ସ ଡିଜିଟାଲରେ ସାମସଙ୍ଗ ସ୍ମାର୍ଟ ଫୋନ ପ୍ରତିଯୋଗୀ କମ୍ପାନୀଙ୍କ ତୁଳନାରେ ପ୍ରାୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଥିବା ଜଣା ପଡିଛି । ନିକଟରେ ରିଲାଏନ୍ସକୁ ବିପୁଳ ପାଣ୍ଠି ମିଳିଛି । ଏଣୁ କମ୍ପାନୀକୁ ରିଟେଲ ସେକ୍ଟରରେ ସ୍ୱଳ୍ପମୂଲ୍ୟରେ କାରବାର କରିବା କଷ୍ଟକର ହେବନି । ରିଲାଏନ୍ସ ଜିଓରେ ୧.୫ ଲକ୍ଷ କୋଟି ଟଙ୍କା ନିବେଶ ଆସିବା ପରେ ରିଲାଏନ୍ସ ରିଟେଲରେ ନିବେଶ ଆରମ୍ଭ ହୋଇଥିଲା । ନିକଟରେ କେକେଆର ଓ ସିଲଭର ଲେକ୍‌ ଭଳି କମ୍ପାନୀମାନେ ରିଲାଏନ୍ସ ରିଟେଲରେ ନିବେଶ କରିଛନ୍ତି । ଏଣୁ କମ୍ପାନୀ ବଜାର ଆହ୍ୱାନର ସଫଳ ମୁକାବିଲା କରିପାରିବ ବୋଲି ଆଶା କରାଯାଉଛି ।

Show More
Back to top button