ରାଜ୍ୟ

ସୁପର-ସାଇକ୍ଲୋନ୍‌ ହୋଇପାରେ ‘ଅମ୍ଫାନ’; ଘଣ୍ଟା ପ୍ରତି ୨୨୦ରୁ ୨୬୫ କି.ମି. ବେଗରେ ବହିପାରେ ପବନ

ଭୁବନେଶ୍ୱର(ସତ୍ୟଶିଖା):  ସୁପର-ସାଇକ୍ଲୋନ୍‌ରେ ପରିଣତ ହୋଇପାରେ ବାତ୍ୟା ‘ଅମ୍ଫାନ’। ଏମିତି କିଛି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ସେ କହିଛନ୍ତି, ଲଗାତର ଅଧିକ ଘନୀଭୂତ ହେଉଛି ‘ଅମ୍ଫାନ୍‌’। ୧୨ ଘଣ୍ଟା ମଧ୍ୟରେ ଏହା ସୁପର ସାଇକ୍ଲୋନରେ ପରିଣତ ହେବା ଆଶଙ୍କା ରହିଛି। ଏପରି ହେଲେ ୨୨୦ରୁ ୨୬୫ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ‘ଅମ୍ଫାନ’ ୨୦ ତାରିଖ ଅପରାହ୍ନ/ସଂଧ୍ୟାରେ ଦୀଘା-ହାତିଆ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ।

ଆଇଏମ୍‌ଡିର ସୂଚନା ଅନୁଯାୟୀ, ‘ଅମ୍ଫାନ’ ଅତି ଭୀଷଣ ରୂପ ଧାରଣ କରି ସାରିଛି। ଏବେ ଏହା ପାରାଦୀପଠାରୁ ୭୯୦ କି.ମି. ଦୂରରେ ରହିଛି।  ସେହିପରି ଦୀଘାଠାରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଏହା ୯୪୦ କି.ମି. ଦୂରରେ ରହିଛି। ଅତି ଭୀଷଣ ରୂପ ଧାରଣ କରିବା ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଉଛି।  ଏବେ ଏହା ଘଣ୍ଟାକୁ ୧୩ କି.ମି. ବେଗରେ ଗତି କରୁଛି।

ଆହୁରି ପଢ଼ନ୍ତୁ

୨୦ ତାରିଖରେ ‘ଅମ୍ଫାନ’ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ଭିତରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପରେ ସ୍ଥଳଭାଗ ଛୁଇଁବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଥିଲା।

ଆଇଏମ୍‌ଡି ପୂର୍ବରୁ ଦେଇଥିବା ସୂଚନା ଅନୁଯାୟୀ, ଓଡ଼ିଶା ଉପରେ ମଧ୍ୟ ‘ଅମ୍ଫାନ’ର ପ୍ରଭାବ ପଡ଼ିବ। ବିଶେଷତଃ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ପ୍ରଭାବ ଅନୁଭୂତ ହେବ। ଏହା ପ୍ରଭାବରେ ରାଜ୍ୟରେ ଆଜି ସନ୍ଧ୍ୟାରୁ ବର୍ଷା ଓ ପବନ ଆରମ୍ଭ ହେବ।

ଉତ୍ତର ଓଡ଼ିଶାରେ ଅତିପ୍ରବଳ ବର୍ଷା ହେବା ସହ ପବନର ବେଗ ୧୯ ତାରିଖରେ ଘଣ୍ଟାପ୍ରତି ୭୫ରୁ ୮୫, ଏମିତିକି ୯୫ କିଲୋମିଟର ମଧ୍ୟ ଛୁଇଁ ପାରେ।  ତେବେ ୨୦ ତାରିଖ ଅପରାହ୍ନରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ ଓ ବେଳେ ବେଳେ ୧୩୫ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ।

[ad_2]
Show More
Back to top button