ସତ୍ୟଶିଖା ( ଫୁଲବାଣୀ ) ୦୪.୦୮.୨୦୨୦ : ସାମ୍ନାକୁ ଆସିଲା ପିଲା ବିକ୍ରି ଅଭିଯୋଗ। କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ବଲସକୁମ୍ପା ପଞ୍ଚାୟତର ବୁଡୁପଡା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛିି । ମିଳିଥିବା ସୂଚନା ମୁତାବକ,ଏହି ଗ୍ରାମର ଜଗଦୀଶ ଦିଗାଲ ପ୍ରମୋଦିନୀ ଦିଗାଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପ୍ରମୋଦିନୀଙ୍କ ସାମାନ୍ୟ ମସ୍ତିଷ୍କ ବିକୃତ ଥିବା କୁହାଯାଉଛି । ତାଙ୍କର ଗୋଟେ ୯ ବର୍ଷର ପୁଅ ଅଛି । କିଛିଦିନ ତାଙ୍କର ଆଉ ଜଣେ ପୁତ୍ର ଜନ୍ମ ହୋଇଥିଲା ।
ତେବେ ଗତ ୨ ତାରିଖ ରାତିରେ ପ୍ରମୋଦିନୀ ଛୁଆକୁ ଛାଡି କୁଆଡେ ଚାଲି ଯାଇଥିଲେ । ସକାଳେ ପରିବାର ଲୋକେ ପିଲାର କାନ୍ଦ ଶୁଣି, ତା ପାଖରେ ପହଁଞ୍ଚିଥିଲେ । କିନ୍ତୁ ସେଠାରେ ପ୍ରମୋଦିନୀ ନଥିଲେ । ତାଙ୍କୁ ବହୁ ଖୋଜାଖୋଜି ପରେ ତାଙ୍କ ସନ୍ଧାନ ମିଳି ନଥିଲା । ଏହି କଥା ଜାଣିବା ପରେ ଜଗଦୀଶଙ୍କ ସମ୍ପର୍କୀୟ ଭୀମ ଦିଗାଲ ଛୁଆକୁ ଫୁଲବାଣୀ ଚିତ୍ରକୁଟ ସାହିର ଆନନ୍ଦ କହଁରଙ୍କୁ ଦେଇ ଦେବାକୁ କହିଥିଲେ । ଦିନ ଗୋଟାଏ ବେଳେ ଜଗଦୀଶ ଛୁଆଟିକୁ ନେଇ ଆନନ୍ଦଙ୍କ ହାତରେ ଟେକି ଦେଇଥିଲେ ।
ଛୁଆ ବିକ୍ରି ବାବଦକୁ ସେ ୨ ହଜାର ଟଙ୍କା ଆଣିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସୂଚନା ପାଇବା ପରେ ଚାଇଲ୍ଡଲାଇନ୍ ସଦସ୍ୟମାନେ ଡିସିପିଓ ଏବଂ ଖଜୁରିପଡା ଥାନାରେ ଅଭିଯୋଗ କରିଥିଲେ । ପୁଲିସର ଉପସ୍ଥିତିରେ ଚାଇଲ୍ଡଲାଇନ୍ ଛୁଆକୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଚାଇଲ୍ଡଲାଇନର ଇନଚାର୍ଜ ପ୍ରଭାସ ନାୟକ ସୂଚନା ଦେଇଛନ୍ତି । ଖଜୁରିପଡା ଥାନାରେ ଏନେଇ ଅଭିଯୋଗ ହୋଇଥିବା ବେଳେ ତଦନ୍ତ ଚାଲିଥିବା ଥାନାଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି ।