ଅପରାଧନ୍ୟୁଜ୍ରାଜ୍ୟ

ଡ୍ୟୁପ୍ଲେକ୍ସ ଦେବା ନାଁରେ ୪ କୋଟି ଚଳୁ, ଏମ୍‌ଏକ୍ସ ଇନ୍‌ଫ୍ରା ଏମ୍‌ଡି ଗିରଫ

ସତ୍ୟଶିଖା (ଭୁବନେଶ୍ୱର) ୧୧/୦୨/୨୦୨୧ : ଡ୍ୟୁପ୍ଲେକ୍ସ ବିକିବା ବାହାନାରେ ୧୩ ଜଣଙ୍କଠାରୁ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଭୁବନେଶ୍ୱରର ଏମ୍‌ଏକ୍ସ ଇନ୍‌ଫ୍ରା ପରିଚାଳନା ନିର୍ଦ୍ଦେଶକ ମହେଶ୍ୱର ସାହୁକୁ ଗିରଫ କରିଛି । ଅଭିଯୁକ୍ତକୁ କଟକସ୍ଥିତ ଅଧିକୃତ ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଛି । ଅମିୟ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଇଓଡବ୍ଲ୍ୟୁରେ ଏକ ମାମଲା ରୁଜୁ ହୋଇଛି । ମହେଶ୍ୱର ସହ ଏହି ଠକେଇରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଖୋଜା ଚାଲିଥିବା ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ମିଳିଛି ।

ଅଭିଯୋଗ ମୁତାବକ, ମହେଶ୍ବର ଏମ୍‌ଏକ୍ସ ଇନ୍‌ଫ୍ରା ଲିମିଟେଡ୍‌ ନାମରେ ଏକ ସଂସ୍ଥା ଖୋଲି ୨୦୧୬ ମସିହାରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଉତ୍ତରମୁଣ୍ଡମୁହାଣରେ ଏମ୍‌ଏକ୍ସ ଇନ୍‌ଫ୍ରା ନିୟୁ ସିଟିଜେନ୍‌ ହାଉସିଂ(ଡ୍ୟୁପ୍ଲେକ୍ସ) ପ୍ରୋଜେକ୍ଟ ନାମରେ ଏକ ପ୍ରକଳ୍ପ ଆରମ୍ଭ କରିଥିଲା । ଶସ୍ତାରେ ଘର ଯୋଗାଇ ଦେବାକୁ ସେ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେଇଥିଲା । ବିଜ୍ଞାପନ ଦେଖି ବହୁ ଗ୍ରାହକ ଡ୍ୟୁପ୍ଲେକ୍‌ସ କିଣିବାକୁ ମହେଶ୍ୱର ସହ ଯୋଗାଯୋଗ କରିଥିଲେ ଏବଂ ଅମିୟ ପଟ୍ଟନାୟକଙ୍କ ସମେତ ପାଖାପାଖି ୧୩ ଜଣ ଡ୍ୟୁପ୍ଲେକ୍ସ ବୁକ୍‌ କରିଥିଲେ । ଗୋଟିଏ ଡ୍ୟୁପ୍ଲେକ୍ସକୁ ୫୫ ଲକ୍ଷ ଟଙ୍କା ହିସାବରେ ଦର ଛିଡ଼ିଥିଲା । ୨୦୧୭ ମସିହାରେ ଏହି ପ୍ରକଳ୍ପ ଶେଷ କରି ଗ୍ରାହକଙ୍କୁ ଘର ହସ୍ତାନ୍ତର କରିବ ବୋଲି ମହେଶ୍ୱର ଚୁକ୍ତି କରିଥିଲେ । ଚୁକ୍ତି ଅନୁସାରେ ଗ୍ରାହକମାନେ ମୋଟ ୭ କୋଟି ୧୫ ଲକ୍ଷ ଟଙ୍କାରୁ ୪ କୋଟି ଟଙ୍କା ଜମା କରି ସାରିଥିଲେ । ମାତ୍ର ୨୦୧୭ରେ ସରିବାକୁ ଥିବା ପ୍ରକଳ୍ପ ୨୦୨୧ ପର୍ଯ୍ୟନ୍ତ ଶେଷ ହୋଇନଥିଲା । ଏଣୁ ଗ୍ରାହକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସେମାନେ ଟଙ୍କା ଫେରସ୍ତ ପାଇବାକୁ ଦାବି କରିଥିଲେ। କିନ୍ତୁ ମହେଶ୍ୱର ଟଙ୍କା ଫେରସ୍ତ ଦେଇନଥିଲା ।

ଏ ନେଇ ଅଭିଯୋଗକାରୀ ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଥିଲେ । ତଦନ୍ତ ବେଳେ ଆଉ ଏକ ବଡ଼ ଠକେଇ ପଦାକୁ ଆସିଥିଲା । ଯେଉଁ ଜମି ଉପରେ ଏହି ଡ୍ୟୁପ୍ଲେକ୍ସ ତିଆରି ହେଉଥିଲା, ସେହି ଜମି ମଧ୍ୟ ବିବାଦୀୟ ଥିବା ଜଣାପଡ଼ିଥିଲା । ବହୁ ପୂର୍ବରୁ ଜମିର ମୂଳ ମାଲିକ ଏହି ଜମିକୁ ବନ୍ଧକ ସୂତ୍ରରେ ରଖି ମୋଟା ଅଙ୍କର ଋଣ ନେଇ ଯାଇଥିଲେ । ମହେଶ୍ୱର ସବୁ ଜାଣି ମଧ୍ୟ ଏହି ବନ୍ଧକ ଜମିରେ ପ୍ରକଳ୍ପ ତିଆରି କରି ଗ୍ରାହକଙ୍କୁ ଠକିଥିବା ଇଓଡବ୍ଲ୍ୟୁ ଜାଣି ପାରିଥିଲା ।

Show More
Back to top button