

ସତ୍ୟଶିଖା ୦୩.୦୮.୨୦୨୦ : ପ୍ରାୟ ସାଢ଼େ ଚାରି ମାସ ବନ୍ଦ ପଡ଼ିଥିବା ସପିଂ ମଲ୍ଗୁଡ଼ିକୁ ଖୋଲିବାକୁ ବିଏମ୍ସି ଶନିବାର ବିଳମ୍ବିତ ରାତିରେ ଅନୁମତି ଦେଇଥିଲା । ଏଥିପାଇଁ ବିଭିନ୍ନ କଟକଣା ସହ ବିଭିନ୍ନ ନିୟମାବଳି ବି ରଖିଥିଲା । ଆଶା କରାଯାଉଥିଲା, ଦୀର୍ଘ ଦିନ ହେଲା ବନ୍ଦ ପଡ଼ିଥିବା ମଲ୍ଗୁଡ଼ିକ ରବିବାର ଖୋଲିଯିବ । କିନ୍ତୁ ବିଏମ୍ସିର କଟକଣା ଏମିତି ଅଛି ଯେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସମ୍ଭବପର ନଥିବାରୁ ଗତକାଲି ଅଧିକାଂଶ ମଲ୍ ଖୋଲିନି । କାଁ ଭାଁ ସ୍ଥାନରେ ଖୋଲିଥିବା ବେଳେ ଆଜି ଠାରୁ ସବୁ ମଲ୍ ଖୋଲିବ ବୋଲି ଜଣାପଡ଼ିଛି ।
ପ୍ରାୟ ୪ମାସ ବନ୍ଦ ହୋଇ ପଡ଼ିଥିବାରୁ ଆଜି ମଲ୍ କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳ ସଫା କରିବା ସହ ବିଭିନ୍ନ ଷ୍ଟଲ୍ଗୁଡ଼ିକରେ ଅସଜଡ଼ା ହୋଇ ପଡ଼ିଥିବା ସାମଗ୍ରୀକୁ ସଜାଡ଼ିବାକୁ ଦୋକାନୀମାନଙ୍କୁ ଭିତରକୁ ଛାଡ଼ିଥିଲେ। ମଲ୍ ଖୋଲିବା ପରେ ଲୋକ ଯେମିତି ନିୟମ ମାନିବେ, କେଉଁ କର୍ମଚାରୀ କେଉଁ ଦାୟିତ୍ବରେ ରହିବେ, କିପରି ବିଭିନ୍ନ ଅଞ୍ଚଳ ବିଶୋଧନ ହେବ, ସେନେଇ ଆଜି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ମଲ୍ ପରିସରରେ ସାମାଜିକ ଦୂରତା ରଖିବା ପାଇଁ ବିଭିନ୍ନ ସ୍ଥାନରେ ବୃତ୍ତାକାର ଚିହ୍ନ ଅଙ୍କା ଯାଇଥିଲା । କେମିତି ସାମାଜିକ ଦୂରତା ରଖିବା ପାଇଁ କ’ଣ ପ୍ରଚାର କରାଯିବ, ସେନେଇ ମଧ୍ୟ ପୂର୍ବ ପ୍ରସ୍ତୁତି ହୋଇଥିଲା ।
ଅପରପକ୍ଷେ ଆଜି ରବିବାର ଥିବାରୁ ଏବଂ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଥିବାରୁ କିଛି ମଲ୍ କର୍ତ୍ତୃପକ୍ଷ ପୂର୍ବ ପ୍ରସ୍ତୁତି ସତ୍ତ୍ବେ ବି ଆଜି ମାତ୍ର ତିନି ଚାରି ଘଣ୍ଟା ପାଇଁ ମଲ୍ ଖୋଲି ନଥିଲେ । ସମସ୍ତେ ସୋମବାର ଖୋଲିବାକୁ ପ୍ରସ୍ତୁତି କରିଛନ୍ତି । ଆଜି ଖାରବେଳନଗରସ୍ଥିତ ଫୋରମ୍ ମାର୍ଟ ସମେତ କେତେକ ସ୍ଥାନରେ ରିଲାଏନ୍ସ ଷ୍ଟୋର ଖୋଲିଥିବା ବେଳେ ସେଠାରେ ଲୋକଙ୍କର ଥର୍ମାଲ୍ ସ୍କ୍ରିନିଂ କରିବା ପରେ ଭିତରକୁ ଛଡ଼ା ଯାଇଥିଲା । ଯିଏ ମାସ୍କ ପିନ୍ଧି ନଥିଲେ, ସେମାନଙ୍କୁ ଭିତରକୁ ଛଡ଼ା ଯାଇନଥିଲା । ଏହାବାଦ୍ ମଲ୍ ଭିତରେ ଯେପରି ଅଧିକ ଗହଳି ନହେବ, ସେଥିପାଇଁ ଗଣିଗଣି ଲୋକଙ୍କୁ ଭିତରକୁ ଛଡ଼ା ଯାଉଥିଲା । କିଛି ଲୋକ ବାହାରିଲେ ଅନ୍ୟମାନଙ୍କୁ ଛଡ଼ା ଯାଉଥିଲା ।