ସତ୍ୟଶିଖା (ଭୁବନେଶ୍ୱର) ୦୫/୧୨/୨୦୨୦ : ଅମାପ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି । ରିମାଣ୍ଡ ଅବଧି ସରିବା ପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଉଭୟଙ୍କୁ ହାଜର କରାଯାଇଛି । ଉଭୟଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରୁଥିଲା ଭିଜିଲାନ୍ସ ।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ନଭେମ୍ବର ମାସରେ ବାପା ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ ମିଳିତ ଭାବେ ଭୁବନେଶ୍ବର ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରିଛନ୍ତି । ଥରେ ୫୦ ଲକ୍ଷ ଆଉ ଥରେ ୩୫ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି । ପୁଅ ଆକାଉଣ୍ଟକୁ ଯାଇଛି ସବୁ ଟଙ୍କା । ଆଉ ତାପରେ ବାପା-ପୁଅ ମିଶି ଡିପୋଜିଟ୍ କରିଛନ୍ତି । ଗିରଫ ପୂର୍ବରୁ ୮୫ ଲକ୍ଷ ଡିପୋଜିଟ୍ ହୋଇଛି ।
ଅନ୍ୟପଟେ ଆକାଶ ପାଠକ କହୁଛନ୍ତି ‘ମୁଁ ଟାଟାର କର୍ମଚାରୀ ଥିଲି, କିନ୍ତୁ ଟାଟା ମୋତେ ସପୋର୍ଟ କରୁନାହିଁ । ଆମ ବିରୋଧରେ ଷଡଯନ୍ତ୍ର ହୋଇଛି । ଆମେ ସବୁକିଛି କହିବାକୁ ଚାହୁଁଛୁ । ବାହାରିବା ପରେ ସବୁ କିଛି କହିବି । ଆମ ବିରୋଧରେ ଷଡଯନ୍ତ୍ର ହୋଇଛି ।’
ଏପଟେ ଭିଜିଲାନ୍ସ ତଦନ୍ତ କହୁଛି ସବୁ ମିଛ । ରିମାଣ୍ଡ ପାଇଁ ଭିଜିଲାନ୍ସ ଆବେଦନ କରିବନି । ଶନିବାର ରିମାଣ୍ଡ ଆବିଧି ସରିବା ପରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ।