ସତ୍ୟଶିଖା (ଭୁବନେଶ୍ୱର) ୦୩/୧୨/୨୦୨୦ : ବହୁଚର୍ଚ୍ଚିତ ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ କେଳେଙ୍କାରୀ ଘଟଣା ଆଜି ନୂଆ ମୋଡ଼ ନେଇଛି । ଗୋଟିଏ ପଟେ ରାଜ୍ୟ ଭିଜିଲାନ୍ସ ବାପ-ପୁଅଙ୍କ କଳାଧନ ସଂପର୍କରେ ତନାଘନା କରିବା ଲାଗି ଉଭୟ ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ ଆୟକର ବିଭାଗ ଅନ୍ତର୍ଗତ ବେନାମୀ ନିଷିଦ୍ଧ ୟୁନିଟର ହସ୍ତକ୍ଷେପ ଲୋଡ଼ିଥିବା ବେଳେ ଅନ୍ୟପଟେ ଆକାଶ କିଭଳି କ୍ରାଇମବ୍ରାଞ୍ଚକୁ ଭୁଆଁ ବୁଲାଇଥିଲା, ସେ ନେଇ ଚାଞ୍ଚଲ୍ୟକର ସାମ୍ନାକୁ ଆସିଛି ।
ଆଜି ଭିଜିଲାନ୍ସ ସେଲ୍ ଏସପି ଏମ୍ ରାଧାକ୍ରିଷ୍ଣନ୍ ଏକ ଚିଠି ଲେଖି ପାଠକ ବାପ-ପୁଅଙ୍କ ବେନାମୀ କାରବାର ସଂପର୍କରେ ଜଣାଇଛନ୍ତି । ଏଥିରେ କୁହାଯାଇଛି ଯେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତଦନ୍ତ ବେଳେ ଆକାଶ ପାଠକଙ୍କର ତିନିଟି ବ୍ୟାଙ୍କ ଆକାଉଣ୍ଟ ଠାବ କରାଯାଇଥିଲା । ଆଇସିଆଇସିଆଇ ବ୍ୟାଙ୍କର ସହିଦନଗର, ବୁନ୍ଦ ଗାର୍ଡେନ୍ ବ୍ରାଞ୍ଚ ପୁନେ ଏବଂ ଏଚ ଡିଏଫସି ବ୍ୟାଙ୍କର କିଟ୍ ଶାଖାରେ ୯ କୋଟି ୪୮ଲକ୍ଷ ଟଙ୍କା ଠାବ କରାଯାଇଥିଲା । ପରେ ଦେଖାଗଲା ଯେ ଆଉ ୫କୋଟି ୨୯ଲକ୍ଷ ଟଙ୍କା ଏଥିରେ କାରବାର ହୋଇଛି । ଅର୍ଥାତ୍ ୧୪ କୋଟି ୭୭ଲକ୍ଷ ଟଙ୍କା ରହିଥିଲା । କିନ୍ତୁ ନଭେମ୍ବର ୨୫ ଓ ୨୬ ତାରିଖ ସୁଦ୍ଧା ଆକାଶଙ୍କ ଠାରୁ ଆୟକର ରିଟର୍ଣ୍ଣ ସଂପର୍କିତ କୌଣସି ପ୍ରମାଣପତ୍ର ମିଳିପାରିନାହିଁ । ଏହା ବେନାମୀ ସଂପତ୍ତି ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡୁଛି । ଯେହେତୁ ଆୟକର ଆଇନ-୧୯୬୧ ଏବଂ ବେନାମୀ କାରବାର ନିଷିଦ୍ଧ ଆଇନ-୧୯୮୮ ଅନୁସାରେ ଭିଜିଲାନ୍ସ ତଦନ୍ତ କରିବାର କ୍ଷମତା ରଖିନି, ଏଣୁ ଆୟକର ବିଭାଗର ବେନାମୀ ନିଷିଦ୍ଧ ୟୁନିଟ୍ ଏହି ମାମଲା ଗ୍ରହଣ କରୁ । ଅନ୍ୟ ଏକ ଚିଠି ପ୍ରବର୍ତନ ନିର୍ଦେଶାଳୟକୁ ବି ଲେଖାଯାଇଛି । ଯୁଗ୍ମ ନିର୍ଦେଶକଙ୍କୁ ଦିଆଯାଇଥିବା ଚିଠିରେ କେଉଁ ସୂତ୍ରରୁ ଏହି ଅର୍ଥ ଆସିଲା, କିଭଳି କାରବାର ହେଲା, ମନି ଲଣ୍ଡରିଂ ଆଇନ ଅନୁସାରେ ଏହାର ତଦନ୍ତ କରିବା ଲାଗି ଶ୍ରୀ ରାଧାକ୍ରିଷ୍ଣନ୍ ଇଡିକୁ ନିବେଦନ କରିଛନ୍ତି ।
ଅନ୍ୟପକ୍ଷରେ ଆକାଶ ପାଠକ କ୍ରାଇମବ୍ରାଞ୍ଚକୁ କିଭଳି ବିଭ୍ରାନ୍ତି ଭିତରେ ଛନ୍ଦି ଦେଇଛନ୍ତି ସେ ନେଇ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ପାଠକ ନାମରେ କ୍ରାଇମବ୍ରାଞ୍ଚରେ ଏତଲା ହେବା ପରେ ସେ ଏଡି଼ଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଚିଠି ଲେଖିଥିଲା । ନିଜକୁ ଟାଟା କଂପାନିର ଏମଡି ଦାବି କରିବାକୁ ପଛାଇ ନଥିଲା । ଆକାଶ ପାଠକ ନିଜେ କ୍ରାଇମବ୍ରାଞ୍ଚକୁ ଯେଉଁ ତଥ୍ୟ ଦେଇଛି ତାହାକୁ ବିଶ୍ବାସ କରାଗଲେ ମଣିଷ କେତେ ଧୂର୍ତ୍ତ ହୋଇପାରେ ତାହା କେହି ଅନୁମାନ କରିପାରିବ । ଟାଟା କମ୍ପାନି ସହ ଦୂର ଦୂର ଯାଏ ସମ୍ପର୍କ ନଥିବା ଆକାଶ ନିଯୁକ୍ତି ନାଁରେ ଏଭଳି କେଳେଙ୍କାରୀ କରିଛି ଯେ ଯାହା ସାଧାରଣ ଲୋକ ଧରିବା ମୁସ୍କିଲ । ଅଫର୍ ଲେଟର, ନିଯୁକ୍ତି ପତ୍ର, ସିଲେକ୍ସନ୍ ଲିଷ୍ଟ, ଏମିତି ଅନେକ ଚିଠି ପ୍ରସ୍ତୁତ କରିଛି । ନିଯୁକ୍ତି ପତ୍ର, ମେରିଟ୍ ଲିଷ୍ଟ ସବୁକିଛି ସେ କ୍ରାଇମବ୍ରାଞ୍ଚକୁ ଦେଇଛି । ଏସବୁଥିରେ ଟାଟାର ଲୋଗୋ ଅଛି, ଟାଟା ପୁନେ କାର୍ଯ୍ୟାଳୟର ଠିକଣା ଅଛି ଏବଂ ଜିଏସଟି ନମ୍ବର ବି ଅଛି ।
ସେ ଟାଟା ଆଡମିନିଷ୍ଟ୍ରେଟିଭ୍ ସର୍ଭିସର ନିଯୁକ୍ତି ପତ୍ର, ଟାଟା ମୋଟରର୍ସ ପୁନେ ଡିଭିଜନର ଭାଇସ୍ ପ୍ରେସିଡେଣ୍ଟ ନିଯୁକ୍ତି ପତ୍ର, ବୋର୍ଡ ଅଫ୍ ଡ୍ରାଇରେକ୍ଟରରେ ତାକୁ କିଭଳି ଦାୟିତ୍ବ ମିଳିଛି, ଏ ସଂକ୍ରାନ୍ତ କାଗଜ ବି ପ୍ରସ୍ତୁତ କରିଛି। କୌତୂହଳ କଥା ହେଲା, ଯେତେବେଳେ ଟାଟା କମ୍ପାନି ନାଁରେ ନିଯୁକ୍ତି ଠକେଇର ଅଭିଯୋଗ ଆସିଥିଲା ସେ ନିଜ ଆଡୁ କ୍ରାଇମବ୍ରାଞ୍ଚକୁ ସଫେଇ ଦେଇଛି । ସେ ଲେଖିଛି ଯେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ତାଙ୍କ କାମରେ ଖୁସି ହୋଇ ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ । ଟାଟା ମୋଟର୍ସ ବାହାରେ ୨୦୧୯ ମସିହାରେ ପଲିଟିକାଲ ଫଣ୍ଡିଂ ପାଇଁ ତାଙ୍କୁ ନୋଡାଲ ଅଫିସର ନିଯୁକ୍ତ ଦିଆଯାଇଥିଲା । ସେହିପରି ୨୦୧୯ରେ ସାଇରସ୍ ମିସ୍ତ୍ରୀ ଓ ନଟରାଜନ ଚନ୍ଦ୍ରଶେଖରନ ବିବାଦ ସମୟରେ ତାଙ୍କୁ ରତନ ଟାଟା ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିଲେ । ଟାଟା ଟ୍ରଷ୍ଟର ସଦସ୍ୟ କରିବା ପାଇଁ ରତନ ଟାଟା ଚାହୁଁଥିଲେ ବୋଲି ବି ଲେଖିଛି ଆକାଶ ।