ସତ୍ୟଶିଖା (ଭୁବନେଶ୍ୱର) ୧୫/୧୨/୨୦୨୦ : ଗିରଫ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ଚତୁର୍ଥ ଦିନ ପାଇଁ ଜେରା କରାଯାଇଛି । ଆକାଶ ଟାଟା ମୋଟର୍ସର ଏମ୍ଡି ନଥିବା କ୍ରାଇମବ୍ରାଞ୍ଚ୍ ଜାଣିବାକୁ ପାଇଛି । ପତିଆରା ଦେଖାଇବା ପାଇଁ ସେ ଏମିତି କରି ଲୁଟୁଥିବା ସୂଚନା ମିଳିଛି । ଏହାବ୍ୟତୀତ ଏବେ ସେ ଭାବି ଶ୍ୱଶୁରଙ୍କୁ ବଞ୍ଚାଇବାକୁ ଭରପୂର ଉଦ୍ୟମ କରୁଛନ୍ତି । ଭାବି ଶ୍ୱଶୁରଙ୍କ କିଛି ଭୁଲ୍ ନାହିଁ ବୋଲି କହୁଛନ୍ତି ଆକାଶ । ଆହୁରି ମଧ୍ୟ କିଛି ତଥ୍ୟ ସେ ଲୁଚାଉଛନ୍ତି । ଏଥିପାଇଁ ଆକାଶଙ୍କ ପଲିଗ୍ରାଫ୍ ଟେଷ୍ଟ (ମିଛ ଧରା ପରୀକ୍ଷା) କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ କହିଛି ।
ଜେରା ବେଳେ କ୍ରାଇମ୍ବ୍ରାଞ୍ଚ ଆକାଶ ଠାରୁ ଅନେକ କିଛି ସତ ବାହାର କରିଛି । ଟାଟା ମୋଟର୍ସରେ ଚାକିରି କରୁନଥିବା ମାନିବା ସହ ଷ୍ଟାଟସ୍ ଦେଖାଇବାକୁ ଏଭଳି ଜାଲିଆତି କରୁଥିବା ଆକାଶ କ୍ରାଇମ୍ବ୍ରାଞ୍ଚ ଆଗରେ ସ୍ୱୀକାର କରିଛି । ଖାଲି ସେତିକି ନୁହେଁ ଟାଟା କମ୍ପାନୀରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ବେକାର ଯୁବକଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟକୁ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଟଙ୍କା ଆଦାୟରେ ଭାବି ଶ୍ୱଶୁର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅନେକ ସହଯୋଗ ଥିବାର ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।