ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

କୋଭିଡ୍‌ଠାରୁ ବାୟୁ ପ୍ରଦୂଷଣ ଅଧିକ ଘାତକ

ସତ୍ୟଶିଖା ୦୮/୦୧/୨୦୨୧ : କରୋନା ମହାମାରୀ ଅପେକ୍ଷା ଭାରତୀୟଙ୍କ ପାଇଁ ବାୟୁ ପ୍ରଦୂଷଣ ଅଧିକ ଘାତକ ସାବ୍ୟସ୍ତ ହୋଇଛି । ୨୦୧୯ରେ ପ୍ରଦୂଷଣ ଯୋଗୁଁ ଦେଶରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ୨୦୨୦ରେ କୋଭିଡ୍‌ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ବେଳେ ଏହାଠାରୁ ଅନେକ ଗୁଣରେ ଅଧିକ ମୃତ୍ୟୁ କେବଳ ବାୟୁ ପ୍ରଦୂଷଣ ଯୋଗୁଁ ହେଉଛି ବୋଲି ଲାନସେଟ୍‌ ଦ୍ବାରା ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ।

ବାୟୁ ପ୍ରଦୂଷଣ ଯୋଗୁଁ ହୋଇଥିବା ମୃତ୍ୟୁରୁ ୩୨.୫ ପ୍ରତିଶତ ଫୁସ୍‌ଫୁସ୍‌ ସଂକ୍ରମଣ ଯୋଗୁଁ ହୋଇଥିବା ବେଳେ, ହୃଦ୍‌ରୋଗଜନିତ ମୃତ୍ୟୁ ୨୯.୨ ପ୍ରତିଶତ, ହୃଦ୍‌ଘାତ ମୃତ୍ୟୁ ୧୬.୨ ପ୍ରତିଶତ ଏବଂ ଶ୍ବାସକ୍ରିୟାରେ ସଂକ୍ରମଣ ଯୋଗୁଁ ୧୧.୨ ପ୍ରତିଶତ ମୃତ୍ୟୁ ହୋଇଛି । ଦେଶରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ପ୍ରଦୂଷଣଜନିତ ମୃତ୍ୟୁ ୫୦ ପ୍ରତିଶତରୁ ଅଧିକ ରହିଛି । ଉତ୍ତରପ୍ରଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ୩,୪୯,୯୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧,୩୯,୧୧୮, ବିହାରରେ ୧,୨୬,୪୬୦, ପଶ୍ଚିମବଙ୍ଗରେ ୧,୨୨,୮୩୩, ରାଜସ୍ଥାନରେ ୧,୧୩,୩୬୧ ଜଣଙ୍କ ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ହୋଇଛି ।

ତେବେ ୨୦୧୯ରେ ଦେଶରେ ମୋଟ୍‌ ୧୬,୬୭,୩୩୧ ଜଣଙ୍କର ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ହୋଇଛି । ଭାରତର ସମସ୍ତ ରାଜ୍ୟରେ ବାୟୁ ପ୍ରଦୂଷଣ ଯୋଗୁଁ ଏହାର କୁପ୍ରଭାବ ଅର୍ଥନୀତି ଉପରେ ମଧ୍ୟ ପଡ଼ୁଛି । ଦେଶରେ ବହୁ ସଂଖ୍ୟାରେ ଧୂମ୍ରପାନ କରୁନଥିବା ଲୋକେ ମଧ୍ୟ ଫୁସ୍‌ଫୁସ୍‌ ସଂକ୍ରମଣର ଶିକାର ହେଉଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି । କୋଭିଡ୍‌ ମୃତ୍ୟୁକୁ ନେଇ ସବୁସ୍ତରରେ ଆତଙ୍କ ଦେଖିବାକୁ ମିଳୁଥିବା ବେଳେ ଅସଲରେ ଏହାଠାରୁ ଅଧିକ ଭୟାନକ ସାଜିଛି ବାୟୁ ପ୍ରଦୂଷଣ ।

Show More
Back to top button