ସତ୍ୟଶିଖା( ଭୁବନେଶ୍ୱର )୧୧.୧୧.୨୦୨୨: ଗସ୍ତର ଦ୍ୱିତୀୟ ଦିନରେ ନିଜ ସ୍କୁଲକୁ ଯାଇଥିଲେ ରାଷ୍ଟ୍ରପତି। ଭୁବନେଶ୍ୱର ୟୁନିଟ୍ -୨ ବାଳିକା ଉଚ୍ଚବିଦ୍ୟାଳୟରେ ସ୍ମୃତି ସାଉଁଟିଛନ୍ତି। ସ୍କୁଲରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଫୁଲ ତୋଡ଼ା ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା। ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଦ୍ରୌପଦୀ ମୁର୍ମୁ। ସେଠାରେ ନିଜ ସହପାଠୀଙ୍କୁ ଭେଟିଥିଲେ। ଦୀର୍ଘ ବର୍ଷ ପରେ ନିଜ ସାଙ୍ଗମାନଙ୍କ ସହ ସାକ୍ଷାତ ହେଇଥିବାରୁ ସେମାନଙ୍କୁ ଦେଖି ଭାବବିହ୍ଵଳ ହୋଇପଡିଥିଲେ। ହାଇସ୍କୁଲ ପରିସରରେ ଗଛ ଲଗାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ରାଷ୍ଟ୍ରପତି ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ । ଏହି ସମୟରେ ସେ କୁନ୍ତଳା କୁମାରୀ ସାବତ ହଷ୍ଟେଲରେ ରହିଥିଲେ । ହଷ୍ଟେଲରେ ସେ ରହୁଥିବା ବିର୍ସାମୁଣ୍ଡା ଓ ତୁଳସୀ ମୁଣ୍ଡା ବ୍ଲକକୁ ମଧ୍ୟ ଯାଇଥିଲେ । ସେଠାରେ ନିଜ ଖଟ ଉପରେ କିଛି ସମୟ ବସିଥିଲେ।
ଏହି ଅବସରରେ ରାଷ୍ଟ୍ରପତି ନିଜ ମନକଥା ବଖାଣିଛନ୍ତି। ଭୁବନେଶ୍ୱର କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ଭିଜିଟର ବୁକ୍ରେ ନିଜ ମନ କଥା ଲେଖିଛନ୍ତି। ସେ ଲେଖିଛନ୍ତି, ‘ଆଜି କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରି ମୁଁ ବହୁତ ଖୁସି । ମୋ ଛାତ୍ରୀ ଜୀବନର ଅନେକ ଅଭୂଲା ସ୍ମୃତିକୁ ଉଜ୍ଜୀବିତ କରିଛି। ହଷ୍ଟେଲର ଅନ୍ତେବାସୀ ଏବଂ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଭେଟିଲି। ସେମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ ମୁଁ ଭାବବିହ୍ଵଳ ହୋଇପଡିଲି। ସୁଖର କଥା ଏଠାରେ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ, ସ୍ୱଛ ଓ ଘରୋଇ ପରିବେଶ ମିଳୁଛି। ମୁଁ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛି।’