ସତ୍ୟଶିଖା (ପୁରୀ) ୨୩ /୧୨/୨୦୨୦ : ଅପେକ୍ଷା ଅନ୍ତ । ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର । ଆରମ୍ଭ ହେଲା ଭକ୍ତ-ଭଗବାନଙ୍କ ମିଳନ । ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ପ୍ରଥମ ୩ଦିନ ସେବାୟତ ଓ ସେମାନଙ୍କ ପରିବାର ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ଅଣ ସେବାୟତଙ୍କୁ ଚିହ୍ନଟ ପାଇଁ ଜେଟିପି ଓ ପୋଲିସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଯୋଗାଇଦିଆଯାଇଥିବା ସ୍ଵାସ୍ଥ ଓ ଅନ୍ୟ କୌଣସି ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଯେ କୌଣସି ଦ୍ୱାର ଦେଇ ପ୍ରବେଶ କରିପାରିବେ ସେବାୟତ ଓ ସେମାନଙ୍କ ପରିବାର ବର୍ଗ ।
ଆଜି ସକାଳ ସାଢ଼େ ୭ଟାରୁ ମହାପ୍ରଭୁଙ୍କ ପହୁଡ଼ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ସେବାୟତ ଓ ତାଙ୍କ ପରିବାର । ସେହିପରି ୨୬ରୁ ୩୧ ପୁରୀ ସହରବାସୀଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ମିଳିବ ଅନୁମତି । ତେବେ ସାଧାରଣ ଭକ୍ତଙ୍କୁ କାଳିଆ ଠାକୁରଙ୍କ ଦର୍ଶନ ପାଇଁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ସେହିଭଳି ୨୬ତାରିଖରୁ ପୁରୀରେ ୱାର୍ଡ ୱାରୀ ଦର୍ଶନ ବ୍ୟବସ୍ଥା ହୋଇଛି । ପ୍ରଥମ ଦିନରେ ୭ଟି ୱାର୍ଡ଼ର ଲୋକେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।