ପ୍ଲେ ସ୍କୁଲ ଖୋଲିବ କେବେ? , ଗଣଶିକ୍ଷା ସଚିବଙ୍କୁ ଚିଠି ଲେଖିଲା ସଂଘ

ସତ୍ୟଶିଖା (ଭୁବନେଶ୍ୱର) ୦୪/୦୨/୨୦୨୧ : ଅଙ୍ଗନବାଡ଼ି ଖୋଲିଲାଣି । ପିଲାଙ୍କ ପାଠପଢ଼ା ଆରମ୍ଭ ହେଲାଣି । ପ୍ରାଥମିକ ବିଦ୍ୟାଳୟ ତଥା ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ବି ରାଜ୍ୟ ସରକାର ସଜବାଜ ଆରମ୍ଭ କରିଦେଲେଣି । ତେବେ ରାଜ୍ୟରେ ଥିବା ହଜାର ହଜାର ପ୍ଲେ ସ୍କୁଲ ଖୋଲିବ କି ନାହିଁ ସେନେଇ କାହା ପାଖରେ ଉତ୍ତର ନାହିଁ । ରାଜ୍ୟ ସରକାର ଏଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ଉଭୟ ଅଭିଭାବକ ଓ ସ୍କୁଲ କର୍ତୃପକ୍ଷ ଏବେ ଚିନ୍ତାରେ ପଡ଼ିଛନ୍ତି ।
ସବୁଠାରୁ ବଡ଼ କଥା ହେଲା ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଦେବ କିଏ? ରାଜ୍ୟ ସରକାରଙ୍କ କେଉଁ ବିଭାଗ ଅଧୀନରେ ପ୍ଲେ ସ୍କୁଲ ରହିଛି? ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଅଛି ନା ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ? ଗାଁ ଗହଳିଠାରୁ ସହର ପର୍ଯ୍ୟନ୍ତ ପ୍ଲେ ସ୍କୁଲ ଖୋଲିଥିଲେ ମଧ୍ୟ ଏହା କାହା ଅଧୀନରେ ରହିଛି ତାହା ଖୋଦ୍ ରାଜ୍ୟ ସରକାରଙ୍କ ଅଧିକାରୀ ବି ଜାଣି ନାହାନ୍ତି । କାରଣ ପ୍ଲେ ସ୍କୁଲ ଖୋଲିବା ଦାବି କରି କେତେକ ସ୍କୁଲ କର୍ତୃପକ୍ଷ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀଙ୍କୁ ସାକ୍ଷାତ କରି ଦାବି ଜଣାଇଥିଲେ । ସମସ୍ୟା ସମ୍ପର୍କରେ ଜଣାଇବା ସହ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ତେବେ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ପ୍ଲେ-ସ୍କୁଲ ଆମ ଅଧୀନରେ ନାହିଁ । ଆମେ ଏନ୍ଓସି ଦେଇନାହୁଁ । ତୁମେ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ଭେଟ । ସ୍କୁଲ କର୍ତୃପକ୍ଷମାନେ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ଭେଟିଥିଲେ ମଧ୍ୟ ନିରାଶ ହୋଇ ଫେରିଥିଲେ । ପରିଣାମ ସ୍ବରୂପ ଏବେ ପ୍ଲେ ସ୍କୁଲ ଖୋଲିବା ଭାଗ୍ୟ ଝୁଲି ରହିଛି ।
ଅନ୍ୟପକ୍ଷରେ ଅଙ୍ଗନବାଡ଼ି ଖୋଲିବାକୁ ଅନୁମତି ଦିଆଯାଇଥିବାରୁ ଗାଇଡ୍ଲାଇନ୍ ମାଧ୍ୟମରେ ପ୍ଲେ ସ୍କୁଲ ଖୋଲିବାକୁ ତୁରନ୍ତ ଅନୁମତି ଦେବାକୁ ଅଲ୍ ଓଡ଼ିଶା ପ୍ଲେ ସ୍କୁଲ ଆସୋସିଏସନ ଦାବି କରିଛି । ସଂଘ ପକ୍ଷରୁ ଗଣଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖାଯାଇ କୁହାଯାଇଛି ଯେ କୋଭିଡ୍-୧୯ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍କୁଲଗୁଡ଼ିକ ବନ୍ଦ କରିବା ଲାଗି ୨୦୨୦ ମାର୍ଚ୍ଚ ମାସରେ ଗାଇଡ୍ଲାଇନ୍ ଜାରି କରିଥିଲେ । ଯାହାକୁ ଆଧାର କରି ପ୍ଲେ ସ୍କୁଲ ସମେତ ସମସ୍ତ ସ୍କୁଲ ବନ୍ଦ ରହିଥିଲା । ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡ୍ଲାଇନ୍କୁ ଆଧାର କରି ଲକ୍ଡାଉନ୍ ସମୟରେ ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ୍ ଶିକ୍ଷା ଦିଆଯାଇଥିଲା । ଛୋଟ ପିଲାଙ୍କ ବୟସକୁ ଦୃଷ୍ଟିରେ ରଖି ଯେତେଦୂର ସମ୍ଭବ କମ୍ ସମୟ ପାଇଁ ଅନ୍ଲାଇନ୍ରେ ପାଠପଢ଼ା ଯାଇଥିଲା । ସରକାରଙ୍କ ନିର୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟ ଯାଏ ପାଠପଢ଼ା ଚାଲିଥିଲା । ଯେତେ ଯାହା ଶିକ୍ଷା ଦିଆଗଲେ ମଧ୍ୟ ଅନ୍ଲାଇନ୍ ଶିକ୍ଷା ଛାତ୍ରଛାତ୍ରୀଙ୍କ ଲାଗି ଯଥେଷ୍ଟ ନୁହେଁ, ଏହା ଏକ ବିକଳ୍ପ ମାତ୍ର ।ଏବେ କରୋନା ସଂକ୍ରମଣ କମିଥିବାରୁ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲିବା ଲାଗି ଅନୁମତି ଦେଇଛନ୍ତି । ବିଜ୍ଞପ୍ତି ଜାରି ହେବା ସହ ଗାଇଡ୍ଲାଇନ୍ ବି ପ୍ରକାଶ ପାଇଛି । ତେଣୁ ପ୍ଲେ ସ୍କୁଲ ଖୋଲିବା ଲାଗି ଅନୁମତି ଦେବାକୁ ଆସୋସିଏସନ୍ ଦାବି କରିଛି । ଆହୁରି କୁହାଯାଇଛି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ୍-୧୯ ଗାଇଡ୍ଲାଇନ୍ରେ ପ୍ଲେ-ସ୍କୁଲ ଖୋଲିବାକୁ ଆମେ ପ୍ରସ୍ତୁତ ରହିଛୁ । ସମସ୍ତ ପ୍ରକାର ନିୟମ ପାଳନ କରାଯିବ । କୌଣସି ବି ସ୍ଥାନରେ ଯେପରି ତ୍ରୁଟି ବିଚ୍ୟୁତି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ । ତେଣୁ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଦେବାକୁ ସଂଘ ଚିଠିରେ ଉଲ୍ଲେଖ କରିଛି ।