ସତ୍ୟଶିଖା(ଭୁବନେଶ୍ୱର) ୧୨ .୦୫.୨୦୨୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ୟ୍ୟକ୍ରମରେ କୋଭିଡ ପରିଚାଳନା ସଂପର୍କରେ ରାଜ୍ୟ ସରକାର ଫିଡବ୍ୟାକ୍ ସଂଗ୍ରହ କରିଛନ୍ତି। କୋଭିଡ୍ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲ ସରକାରଙ୍କ ନିର୍ଦ୍ଧାରିତ ଫି’ ଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ବୈଠକରେ କହିକାନ୍ତି ଜିଲ୍ଲାସ୍ତରରେ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଓ ମେଡିକାଲ ଅକ୍ସିଜେନ ସୁବିଧା ସବୁଠାରୁ ବଡ ପ୍ରାଥମିକତା। ଏହା ଉପରେ ୨୪ ଘଣ୍ଟିଆ ତଦାରଖ କରାଯିବା ଆବଶ୍ୟକ। ସେହିପରି ଅଧିକ କୋଭିଡ ସଂଖ୍ୟା ଥିବା ଅଞ୍ଚଳ ଗୁଡିକରେ ଟେଷ୍ଟିଂ, ଟ୍ରାକିଂକୁ ଜୋରଦାର କରିବା ସହିତ ଆଇସିୟୁ ଓ ଏଚଡିୟୁ ଦାୟିତ୍ଵରେ ଥିବା ଡାକ୍ତରମାନଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍ ନେଇ ସେମାନଙ୍କ ମତାମତ ଭିତ୍ତିରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଟୀକାକରଣ କାର୍ୟ୍ୟକ୍ରମ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ। ଏଥିପାଇଁ ତ୍ରୁଟି ଶୂନ୍ୟ ବ୍ୟବସ୍ଥା ଏବଂ ବୟସ୍କ, ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକଙ୍କର ଯତ୍ନ ନିଆଯାଉ। ଯେତେଶୀଘ୍ର ସମ୍ଭବ ଅଧିକ ସଂଖ୍ୟକ ଟୀକା ସଂଗ୍ରହ ପାଇଁ ଆମର ଉଦ୍ୟମ ଜାରି ରହିଛି। କୋଭିଡ ଚିକିତ୍ସା କରୁଥିବା ବେସରକାରୀ ମେଡିକାଲ ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ କହିଥିବା ବେଳେ ସେମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଭିତରେ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ। ଯଦି ସେମାନେ ଏହା ନ କରନ୍ତି ତେବେ ସଂପୃକ୍ତ ହସପିଟାଲ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି କୋଭିଡ ହସପିଟାଲ ଗୁଡିକରେ ହେଲ୍ପ ଲାଇନ ଗୁଡିକୁ ଅଧିକ କ୍ରିୟାଶୀଳ ଓ ରୋଗୀଙ୍କ ପରିବାର ବର୍ଗଙ୍କୁ ନିୟମିତ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାଛଡା ସେ କହିଛନ୍ତି
ଏଭଳି କଠିନ ସମୟରେ ଦୁଃଖ ଓ ଦୈନ୍ୟରେ ଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବ୍ୟବହାର କରି ସାହାଯ୍ୟ କର। ମୁଖ୍ୟମନ୍ତ୍ରୀ କହିଲେ ଗତ ମାସକ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୋଭିଡ ସଂଖ୍ୟା ବହୁ ପରିମାଣରେ ବଢିଥିଲେ ମଧ୍ୟ କୋଭିଡ ଯୋଦ୍ଧା ମାନଙ୍କର ଦୃଢ ପରିଶ୍ରମ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ ପରିସ୍ଥିତିକୁ ଠିକ୍ ଭାବରେ ପରିଚାଳନା କରାଯାଇପାରିଛି। ତଥାପି ଆହ୍ଵାନ ବହୁତ ବଡ ଓ ଏହି ଯୁଦ୍ଧ ବହୁତ ଲମ୍ବା। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଲକ୍ଡାଉନ ଲାଗୁ କରାଯାଇଛି। ଏହା ଠିକ୍ ଚାଲିଥିଲେ ମଧ୍ୟ କେତେକ ସ୍ଥାନରେ ଏଥିରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।