ହାଥରସରେ ୪ ବର୍ଷ ଶିଶୁକୁ ଦୁଷ୍କର୍ମ

ସତ୍ୟଶିଖା (ହାଥରସ) ୧୪/୧୦/୨୦୨୦ : ହାଥରସ ଗଣଦୁଷ୍କର୍ମ ମାମଲା ଦେଶବ୍ୟାପି ଉତ୍ତେଜନା ସୃଷ୍ଟି କରିଛି । ଏ ଯାଏଁ ମାମଲା ଥମି ନ ଥିବା ବେଳେ ପୁଣି ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଏହି ଜିଲ୍ଲାର ଗୋଟିଏ ଗାଁର ୪ ବର୍ଷ ଶିଶୁକୁ ଦୁଷ୍କର୍ମ କରାଯାଇଛି । ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ପିଲାଟି ଘର ବାହାରେ ଖେଳୁ ଥିଲା । ସେହି ସମୟରେ ଗାଁର ଏକ ଯୁବକ ଅରବିନ୍ଦ ପିଲାଟିକୁ ଚକୋଲେଟ୍ ଦେବା ଆଳରେ ତାକୁ ନିଜ ସହ ଘରକୁ ନେଇ ତା ସହ ଦୁଷ୍କର୍ମ କରିଛି ।କିଛି ସମୟ ପରେ ପିଲାଟି ଯେତେବେଳେ କାନ୍ଦି କାନ୍ଦି ଘରେ ପହଞ୍ଚିଲା ପରିବାର ଲୋକ ସନ୍ଦେହ କଲେ । ପିଲାଟିକୁ ପଚରାଉଚରା କରିବାରୁ ଘଟଣା ସମ୍ପର୍କରେ ଅବଗତ ହେଲେ ପରିବାରବର୍ଗ । ଏବେ ପିଲାଟି ହସପିଟାଲରେ ଚିକିତ୍ସିତ ହେଉଛି । ଏହା ପରେ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଗଲା । ଏହାରି ଭିତରେ ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ବାହାରେ ବହୁ ସଂଖ୍ୟକ ଗାଁ ଲୋକଙ୍କ ଭିଡ଼ ଲାଗିଛି । ଜିଲ୍ଲାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକ ଓ ପରିବାର ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି । ତେବେ ଘର ଲୋକଙ୍କ ଦାବି ଗାଁର ଜଣେ ଯୁବକ ହିଁ ପିଲାଟି ସହ ଏଭଳି ଘଟଣା ଘଟାଇଛି ।