ଜଳପଥରେ ଓଡିଶା ପ୍ରବେଶ ଉପରେ ଲାଗିଲା କଟକଣା


ସତ୍ୟଶିଖା(ଭୁବନେଶ୍ୱର) ୨୩.୦୪.୨୦୨୧: ଜଳପଥ ଦେଇ ବାହାର ରାଜ୍ୟରୁ ଓଡିଶା ଭିତରେ ପ୍ରବେଶ ଉପରେ କଟକଣା ଲାଗିଛି। କୌଣସି ବୋଟ୍ କିମ୍ବା ହୁଲି ଡଙ୍ଗା ପ୍ରବେଶ କରିପାରିବ ନାହିଁ। ସେଥିପାଇଁ ରାଜ୍ୟରେ ଥିବା ମେରାଇନ ଥାନା ଅଧୀନରେ ଗଠନ ହୋଇଛି ସାଗର ରକ୍ଷକ ଟିମ୍। ପାଖାପାଖି ଗାଁର ଯୁବଗୋଷ୍ଠୀଙ୍କୁ ନେଇ ଏହି ଟିମ୍ ଗଠନ ହୋଇଛି। ଜଳପଥରେ କୌଣସି ଗାଁକୁ ଲୋକ ଆସିଲେ ସେମାନେ ନିକଟସ୍ଥ ମେରାଇନ ଥାନାକୁ ଜଣାଇବେ। ମେରାଇନ ଅଞ୍ଚଳରେ ରାତିରେ ପାଟ୍ରୋଲିଂ ହେବ। କୋଷ୍ଟାଲ ପାଟ୍ରୋଲିଂ ଟିମ୍ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି। ତଟ ସୁରକ୍ଷା ଓ ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଗତକାଲି ଯୁବନେତା ତେଜେଶ୍ୱର ପରିଡ଼ା ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ପଶ୍ଚିମବଙ୍ଗ ଅଞ୍ଚଳରୁ ଲୋକେ ସାମୁଦ୍ରିକ ପଥଦେଇ ବୋଟ, ଟ୍ରଲର କିମ୍ବା ଲଞ୍ଚରେ ଓଡ଼ିଶାର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାକୁ ପ୍ରବେଶ କରିବାର ଅନେକ ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଏହି ୭ଟି ଜିଲ୍ଲାର ଉପକୂଳ ଉପରେ କଡ଼ା ନଜର ରଖାଯିବା ଆବଶ୍ୟକ। ସମସ୍ତ ସାମୁଦ୍ରିକ ଓ ଉପକୂଳବର୍ତ୍ତୀ ଥାନା, ବ୍ଲକ, ତହସିଲ ପ୍ରଶାସନ, ଉପକୂଳର ସମସ୍ତ ଗ୍ରାମ ଓ ପଞ୍ଚାୟତ ଗୁଡିକୁ ସମ୍ପୂର୍ଣ ସଜାଗ ରହିବାକୁ ସେ ଅନୁରୋଧ କରିଥିଲେ।
ଶ୍ରୀ ପରିଡା କହିଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଅନେକ ବଙ୍ଗଳା ଭାଷା କହୁଥିବା ଲୋକ ରହୁଛନ୍ତି। ଏହି ଅଞ୍ଚଳକୁ ପଶ୍ଚିମବଙ୍ଗରୁ କେହି ଯେପରି ନ ଆସନ୍ତି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ।