ସତ୍ୟଶିଖା (ଭୁବନେଶ୍ୱର) ୨୮/୧୦/୨୦୨୦ : ପ୍ରତିବାଦ କରିବାରୁ ଚାକିରିରୁ ତଡିଦେବାକୁ ଧମକ । ଢାବା ମ୍ୟାନେଜର ଜଣେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ କଲେ, ସେହି ଢାବାରେ କାମ କରୁଥିବା ସ୍ୱାମୀ ବିରୋଧ କରିବାରୁ ତାଙ୍କୁ ଚାକିରିରୁ ତଡ଼ିବାକୁ ଧମକ ଦେଲେ । ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏକ ଢାବାରେ ଏମିତି ଘଟଣା ଘଟିଛି । ଅଭିଯୋଗ ଆଧାରରେ କ୍ୟାପିଟାଲ ଥାନା ପୁଲିସ୍ ଉକ୍ତ ଢାବାର ମ୍ୟାନେଜର୍ ସୁକାନ୍ତ ନାୟକକୁ ଗିରଫ କରି କୋର୍ଟଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଖବର ଅନୁଯାୟୀ, ସୁକାନ୍ତଙ୍କ ଘର ୟୁନିଟ୍-୩ ଅଞ୍ଚଳରେ । ମାଷ୍ଟରକ୍ୟାଣ୍ଟିନ ବସ୍ଷ୍ଟାଣ୍ଡ ନିକଟରେ ଥିବା ଏହି ଢାବାରେ ଏକ ଗରିବ ଦମ୍ପତି କାମ କରନ୍ତି । ସେଠାରେ ସୁକାନ୍ତ ମ୍ୟାନେଜର ଅଛନ୍ତି । କାମ କରୁଥିବା ମହିଳାଙ୍କ ଉପରେ ଦୀର୍ଘ ଦିନ ଧରି ଲୋଲୁପ ଦୃଷ୍ଟି ପକାଇଥିଲେ ସୁକାନ୍ତ । ଗତ ଶନିବାର ସନ୍ଧ୍ୟାରେ ଢାବାରେ କେହି ନଥିବା ସୁଯୋଗରେ ସୁକାନ୍ତ ମହିଳାଙ୍କୁ ଢାବାକୁ ଡାକିଥିଲେ । ସେଠାରେ ତାଙ୍କୁ ଟଣାଓଟରା କରିବା ସହ ବଳାତ୍କାର କରିଥିଲେ । ଏ ଘଟଣା ସଂପର୍କରେ ମହିଳା ଜଣଙ୍କ ସ୍ୱାମୀଙ୍କୁ କହିଥିଲେ । ସୁକାନ୍ତଙ୍କୁ ଭେଟି ସ୍ୱାମୀ ପ୍ରତିବାଦ କରିଥିଲେ । ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି ସୁକାନ୍ତଙ୍କୁ ଚେତାବନୀ ଦେଇଥିଲେ । ଏହାକୁ ନେଇ ସୁକାନ୍ତ ଢାବା ଭିତରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଧମକାଇ କହିଥିଲେ ପୁଲିସକୁ ଜଣାଇଲେ ତୋ ଚାକିରି ଯିବ ।