

ସତ୍ୟଶିଖା ୦୪/୦୨/୨୦୨୧ : ରାଜଧାନୀରେ ନିର୍ମାଣ ହେବ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ । ହସ୍ପିଟାଲରେ ସବୁପ୍ରକାର ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେବ । ଟାଟା ପକ୍ଷରୁ ନିର୍ମାଣ କରାଯିବାକୁ ଥିବା କ୍ୟାନସର ହସ୍ପିଟାଲ ଯୋଜନା ଏବେ ଦୋଳାୟମାନ ସ୍ଥିତିରେ ରହିଛି । ତେଣୁ ଏହାର ବିକଳ୍ପ ଭାବେ ରାଜ୍ୟ ସରକାର ଭୁବନେଶ୍ୱରରେ ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରିବା ପାଇଁ ଯୋଜନା କରିଛନ୍ତି । ଚଳିତମାସରେ ହସ୍ପିଟାଲ ନିର୍ମାଣ ନେଇ ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି ।
୨୦୧୯ ମସିହା ଫେବ୍ରୁଆରି ମାସରେ ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା । ବାରଙ୍ଗ ନିକଟରେ ଏକ ଷ୍ଟେଟ୍ ଅଫ ଦି ଆର୍ଟ ହସ୍ପିଟାଲ ନିର୍ମାଣ ପାଇଁ ଏଥିରେ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ସମୁଦାୟ ୮ଶହ କୋଟି ଟଙ୍କା ଖର୍ଚ ହେବାକୁ ଥିବା ବେଳେ ୫ଶହ କୋଟି ଟଙ୍କା ରାଜ୍ୟ ସରକାର ବହନ କରିଥାନ୍ତେ । ଏଥିପାଇଁ ଟାଟା ଟ୍ରଷ୍ଟକୁ ମାଗଣାରେ ୧୫ ଏକର ଜମି ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ । ଏହା ଭିତରେ ହସ୍ପିଟାଲ ନିର୍ମାଣ ନେଇ ୨ଥର ଆଲୋଚନା ହୋଇଛି । ହେଲେ ୨ବର୍ଷ ପରେ ମଧ୍ୟ କ୍ୟାନସର ହସ୍ପିଟାଲ ନିର୍ମାଣରେ ବିଶେଷ ଅଗ୍ରଗତି ହୋଇନାହିଁ । ଆଗକୁ ମଧ୍ୟ ହସ୍ପିଟାଲ ନିର୍ମାଣ ହେବ କି ନାହିଁ ତାହା ମଧ୍ୟ ସନ୍ଦେହ ଭିତରେ ରହିଛି ।
ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଏକ ବିକଳ୍ପ ବ୍ୟବସ୍ଥା କରିଛନ୍ତି । ଯଦି ଟାଟା ଟ୍ରଷ୍ଟ ରାଜଧାନୀରେ ନିଜର କ୍ୟାନସର ହସ୍ପିଟାଲ ନିର୍ମାଣ ନ କରେ ତାହାଲେ ରାଜ୍ୟ ସରକାର ରାଜଧାନୀ ଉପକଣ୍ଠ ଇନଫୋଭ୍ୟାଲି-୨ରେ ଏକ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଯୋଜନା ହୋଇଛି । ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ହସ୍ପିଟାଲରେ ପେଲିଆଟିଭ୍ କେୟାରଠାରୁ ଆରମ୍ଭ କରି ଅନ୍ୟ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରହିଛି । ହସ୍ପିଟାଲ ପରିସରରେ ସୁନ୍ଦର ବଗିଚା ସହିତ ମ୍ୟୁଜିକ୍ ବ୍ୟବସ୍ଥା ରହିବ । ରୋଗୀଙ୍କ ପାଇଁ କ୍ୟାବିନ୍ ବ୍ୟବସ୍ଥା କରାଯିବ । ଦେଶର ଅଗ୍ରଣ କର୍କଟ ରୋଗ ବିଶେଷଜ୍ଞ ମାସକୁ ଥରେ ଏହି ହସ୍ପିଟାଲକୁ ଆସିବେ । ଯାହାଫଳରେ ଓଡ଼ିଶାର ରୋଗୀମାନଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ । ଏଥିପାଇଁ ହସ୍ପିଟାଲରେ ଏକ ହେଲିପ୍ୟାଡ୍ର ମଧ୍ୟ ବ୍ୟବସ୍ଥା କରାଯିବ । ହସ୍ପିଟାଲ ନିର୍ମାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪ଶହ କୋଟି ଟଙ୍କା ଖର୍ଚ କରାଯିବ ବୋଲି ବ୍ୟୟ ଅଟକଳ କରାଯାଇଛି । ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ କର୍ପୋରେଟ୍ ସଂସ୍ଥାମାନଙ୍କୁ ସାମିଲ୍ କରିବା ଉପରେ ଯୋଜନା କରାଯାଉଛି । ଖୁବଶୀଘ୍ର ରାଜ୍ୟ ସରକାର ଏ ସଂପର୍କରେ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି ।