
ସତ୍ୟଶିଖା ୧୧/୧୨/୨୦୨୦ : ୟୁଜରଙ୍କ ଡାଟା ସୁରକ୍ଷା ନିୟମ ଉଲ୍ଲଂଘନ କରି ଫସିଲେ ଆମାଜନ୍ ଓ ଗୁଗଲ୍ । ଆମାଜନ୍ ଓ ଗୁଗଲ୍ ଭରିବେ ୧୩.୫ କୋଟି ୟରୋ ବା ୧୨୧୪ କୋଟି ଟଙ୍କା । ଆମଜନ ୩୧୪ କୋଟି ଟଙ୍କା ଜରିମାନା ଭରିବାକୁ ଥିବା ବେଳେ ଗୁଗଲ୍ ୯୦୦ କୋଟି ଟଙ୍କା ଜରିମାନା ଭରିବ ।
ଡାଟା ସୁରକ୍ଷା ଉପରେ ନଜର ରଖୁଥିବା ସଂସ୍ଥା ଫ୍ରାନ୍ସର ସିଏନଆଇଏଲ୍ ଆମାଜନ୍ ଓ ଗୁଗଲ୍ ଉପରେ ଏହି ଜରିମାନା ଲଗାଇଥିବା ଜଣାପଡ଼ିଛି । ତେବେ ଦେଶରେ କୁକିଜ୍ ନିୟମ ଉଲ୍ଲଂଘନ କରିଥିବା ନେଇ ଏହି ଜରିମାନା ଲଗାଇଛି ସିଏନଆଇଏଲ୍ । ଦୁଇ କମ୍ପାନୀର ଫ୍ରାନ୍ସିସ୍ ଓ୍ବେବସାଇଟ୍ ଇଣ୍ଟରନେଟ୍ ୟୁଜରଙ୍କ ପାଖରୁ ବିଜ୍ଞାପନ ଉଦ୍ଦେଶ୍ୟରେ ବିନା ଅନୁମତିରେ କୁକିଜ୍ ପଢ଼ିବାକୁ କହିଥିବା ନେଇ ଜରିମାନା ଲାଗିଛି ବୋଲି ନ୍ୟାସନାଲ୍ କମିଶନ ଅନ୍ ଇନଫର୍ମେଟିକ୍ସ ଆଣ୍ଡ ଲିବର୍ଟି (ସିଏନଆଇଏଲ୍) ପକ୍ଷରୁ ସୂଚନା ମିଳିଛି ।ଅନ୍ୟପଟେ ଗୁଗଲ୍ ଓ ଆମାଜନ୍ ସିଏନଆଇଏଲ୍ ନିଷ୍ପତ୍ତି ସହମତି ପ୍ରକାଶ କରିନାହାନ୍ତି । ଗୁଗଲ ପକ୍ଷରୁ କୁହାଯାଇଛି, ଯେଉଁମାନେ ଗୁଗଲ୍ ବ୍ୟବହାର କରୁଛନ୍ତି ସେମାନେ ନିଜର ଗୋପନୀୟତାକୁ ନେଇ କମ୍ପାନୀ ଉପରେ ଭରସା କରନ୍ତି । ତେଣୁ ୟୁଜରଙ୍କ ଡାଟା ସୁରକ୍ଷିତ ରହିଛି । ତେଣୁ ସିଏନଆଇଏଲ୍ ନେଇଥିବା ନିଷ୍ପତ୍ତି ଦର୍ଶାଉଛି ଦେଶରେ ନିୟମ କାନୁନ ଠିକ୍ ନାହିଁ ଏବଂ ଲଗାତର ପରିବର୍ତ୍ତନ ହେଉଛି ।