ନ୍ୟୁଜ୍ରାଜ୍ୟ

ଅଦା କିଲୋ ୫ ଟଙ୍କା

ସତ୍ୟଶିଖା(ନନ୍ଦପୁର)୦୯.୦୨.୨୦୨୨ : କୋରାପୁଟ ଜିଲାର ପାଣି, ପବନ ଓ ପାହାଡ଼ିଆ ମାଟିରେ ପ୍ରବଳ ଅଦା ଅମଳ ହେଉଛି। କେନ୍ଦ୍ର ସରକାର ଗତ ଦିନରେ ଅଦାକୁ କୋରାପୁଟ ଜିଲାର ଏକକ ଚାଷର ମାନ୍ୟତା ଦେଇଛନ୍ତି। ବ୍ଲକ୍, ଜିଲା ଓ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ, ଓରମାସ ଓ ନିୟନ୍ତ୍ରିତ ବଜାର କମିଟି ଦ୍ବାରା କିଣାବିକା କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଉଦ୍ୟୋଗ (ପିଏମଏସଇ) ଯୋଜନାରେ ଅନ୍ତର୍ଭୁକ୍ତ କରି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଓ ଚାଷୀଙ୍କୁ ନିଜ ନିଜ ଅଞ୍ଚଳରେ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ନିର୍ଦେଶ ହୋଇଛି। କିନ୍ତୁ କିଣାବିକା ପାଇଁ ବଜାର, ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ବିଭାଗ ବିଭାଗ ମଧ୍ୟରେ ତାଳମେଳ ନରହି କାଗଜକଲମରେ ଯୋଜନା ରହିଯାଇଛି। ଫଳତଃ ଅମଳ କରୁଥିବା ଚାଷୀ ଉପଯୁକ୍ତ ବଜାର ନପାଇ ଅଦାର ଅଭାବି ବିକ୍ରିର ଶିକାର ହୋଇଛି। ବିହନ କିଣିଲା ବେଳକୁ କିଲୋକୁ ଶହେ ଟଙ୍କା । ଚାଷବାସ, ଜଗାରଖା କରି ଅମଳ କରି ବିକିଲା ବେଳକୁ କିଲୋ ୫ ଟଙ୍କା। ହାଟ ଓ ବଜାରରେ ପାହାଡ ଭଳି ଅଦା। କିନ୍ତୁ କିଣିବାକୁ ଗ୍ରାହକ ନାହଁାନ୍ତି। ଏଭଳି ଘଟଣା ନନ୍ଦପୁର ବ୍ଲକ ସମେତ କୋରାପୁଟ ଜିଲାର ସବୁଆଡେ ଦେଖିବାକୁ ମିଳୁଛି। ଓରମାସ ନିରବ ବସିଥିବା ବେଳେ ନିୟନ୍ତ୍ରିତ ବଜାର କମିଟିର କିଛି ପଞ୍ଜୀକୃତ ବେପାରୀ ନିଜ ଇଚ୍ଛାରେ ଅଦାର ଦରଦାମ ନିୟନ୍ତ୍ରଣ ଓ କିଣାବିକା କରୁଥିବା ଚାଷୀ ଅଭିଯୋଗ କରିଛନ୍ତି।

Show More
Back to top button