

ସତ୍ୟଶିଖା : ୧୨/୦୪/୨୦୨୫: ପୁଣି ଗଜପତି ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା l ଏକ ବଡ଼ ଅଘଟଣରୁ ବର୍ତ୍ତିଲା ଯାତ୍ରୀବାହୀ ବସ୍ ।ସୂଚନାଯୋଗ୍ୟ ଯେ, ‘ନାୟକ ଏଣ୍ଡ ନାୟକ’ ନାମକ ଏକ ଯାତ୍ରୀବାହୀ ବସ୍ ଗଜପତି ଜିଲ୍ଲା ଜିରାଙ୍ଗ ଓ ମୋହନା ଦେଇ ବ୍ରହ୍ମପୁର ଯାଉଥିଲା । ଏହି ସମୟରେ ତପ୍ତପାଣି ଘାଟି ବେଲଗଡ଼ ଗାଁ ନିକଟରେ ବସ୍ଟି ଭାରସାମ୍ୟ ହରାଇଥିଲା l ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ l ବସ୍ଟି ଘାଟି ରାସ୍ତାର ତଳକୁ ଖସିଯିବା ସହ ବୁଦା ଭିତରକୁ ପଶି ଯାଇଛି । ଘଟଣାସ୍ଥଳ ଠାରୁ ଆଉ କିଛି ଦୂରରେ ଏକ ବଡ଼ ଟର୍ଣ୍ଣିଂ ରହିଛି । ଯେଉଁଠି ଦୁର୍ଘଟଣାର ବ୍ଲାକ୍ ସ୍ପଟ୍ ଥିବା ସହ ପୂର୍ବରୁ ବହୁ ଦୁର୍ଘଟଣା ସେହି ସ୍ଥାନରେ ଘଟିଛି l ଖବର ପାଇ ପୋଡାମାରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଅନ୍ୟ ଏକ ବସ୍ରେ ଯିବା ବ୍ୟବସ୍ଥା କରିଛନ୍ତି l ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି l