ଭାରତ-ଚୀନ୍ ସୀମା ବିବାଦ ନେଇ ଆଜି ଉଚ୍ଚ ସ୍ତରୀୟ ବୈଠକ, ଲଦ୍ଦାଖରେ ଉତ୍ତେଜନା ଦୂର କରିବା ଉପରେ ଗୁରୁତ୍ୱ l


ସତ୍ୟଶିଖା ( ନୂଆଦିଲ୍ଲୀ ) ୨୦ .୦୮.୨୦୨୦ : ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ଉତ୍ତେଜନା ହ୍ରାସ କରିବା ନେଇ ଆଜି 18 ତମ ବୈଠକ ବା ଆଲୋଚନା ହେବ । ଉତ୍ତେଜନା ହ୍ରାସ ନେଇ ପରାମର୍ଶ ଏବଂ ସମନ୍ୱୟ ପାଇଁ ୱାର୍କିଂ ମେକାନିଜିମର ଏହି ବୈଠକରେ ଲଦ୍ଦାଖରେ ଚାଲିଥିବା ବିବାଦ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହେବ। ଏହା ପୂର୍ବରୁ 17 ଟି ବୈଠକ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଲଦ୍ଦାଖର ପାଙ୍ଗୋଙ୍ଗ ଅଞ୍ଚଳରୁ ଚୀନ୍ ନିଜର ସେନା ପ୍ରତ୍ୟାହାର କରୁ ବୋଲି ଭାରତ ଦାବି ରଖିଛି । ଏପ୍ରିଲ ମାସର ଚୀନ ସେନା ଯେଉଁଠି ରହିଥିଲା ସେହି ସ୍ଥାନକୁ ଫେରିବାକୁ ଦାବି କରୁଛି ଭାରତ । ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଆଜିର ଏହି କୂଟନୈତିକ ସ୍ତରୀୟ ଆଲୋଚନା କରୋନା ମହାମାରୀକୁ ଦୃଷ୍ଟିରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ। ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପୂର୍ବ ଏସିଆ) ନବୀନ ଶ୍ରୀବାସ୍ତବ ଯୋଗଦେବେ । ଚୀନ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟର ସୀମା ବିଭାଗର ମହାନିର୍ଦେଶକ ଅଂଶଗ୍ରହଣ କରିବେ । ବିଗତ କିଛି ମାସ ହେଲା ଲଦ୍ଦାଖର ଫିଙ୍ଗର ଅଞ୍ଚଳରେ ଚୀନ୍ ନିଜର ସେନା ବୃଦ୍ଧି କରିଛି । ଏ ସମ୍ପର୍କରେ ଭାରତ ପକ୍ଷରୁ ଏକ ତୀବ୍ର ଆପତ୍ତି ଉଠାଯାଇଛି । ତେଣୁ ଉଭୟ ଦେଶର ସୈନ୍ୟ ପରସ୍ପର ସମ୍ମୁଖୀନ ହୋଇଛନ୍ତି। ଏହି ଉତ୍ତେଜନାକୁ ହ୍ରାସ କରିବା ପାଇଁ ଗତ କିଛି ମାସ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ହୋଇଛି।
ବର୍ତ୍ତମାନ ମଧ୍ୟ ଫିଙ୍ଗର ଏରିଆ, ଡେପସଙ୍ଗ ଏବଂ ଗୋର୍ଗା ଅଞ୍ଚଳରେ ଉତ୍ତେଜନା ଜାରି ରହିଛି । ଏହାକୁ ଶେଷ କରିବା ପାଇଁ ଅନେକ ରାଉଣ୍ଡ ସାମରିକ ଏବଂ କୂଟନୈତିକ ଆଲୋଚନା ହୋଇଛି । ପୂର୍ବ ଲଦାଖରେ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ଭାରତର ଉଦ୍ୟମ ଜାରି ରହିଛି । ଏହା ପୂର୍ବରୁ 24 ଜୁଲାଇ ରେ (WMCC) ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଉଭୟ ପକ୍ଷ ପରିସ୍ଥିତିର ସମୀକ୍ଷା କରିଥିଲେ । ଉଭୟ ଦେଶର ଅଧିକାରୀମାନେ LAC ପରିସ୍ଥିତି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଦ୍ୱିପାକ୍ଷିକ ଚୁକ୍ତିନାମାକୁ ସମ୍ମାନ ଦେଇ ଚୀନ୍ LAC ଉପରେ ପୂର୍ବ ସ୍ଥିତିକୁ ପୁନଃ ସ୍ଥାପନ କରିବ ଶାନ୍ତି ପ୍ରତିଷ୍ଠା କରିବା ନେଇ ଭାରତ ଦାବି ରଖିଛି । ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ କୋର କମାଣ୍ଡର ସ୍ତରରେ ମଧ୍ୟ 5ଥର ଆଲୋଚନା ହୋଇଛି କିନ୍ତୁ କିଛି ଫଳାଫଳ ମିଳିପାରି ନାହିଁ ।