ହୀରାକୁଦ ତଳିଆ ଅଞ୍ଚଳ ପାଇଁ ଜାରି ହେଲା ସତର୍କ ସୂଚନା, ବନ୍ୟା ଆଶଙ୍କା

ସତ୍ୟଶିଖା( ସମ୍ୱଲପୁର )୧୨ .୦୮. ୨୦୨୨: ହୀରାକୁଦ ତଳିଆ ଅଞ୍ଚଳ ପାଇଁ ସତର୍କ ସୂଚନା  । ହୀରାକୁଦ ତଳିଆ ଅଞ୍ଚଳକୁ ଜଳ ପ୍ରବେଶ ନେଇ ସମ୍ବଲପୁର ପ୍ରଶାସନର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଲଗାଣ ବର୍ଷା ଫଳରେ ଜଳ ନିଷ୍କାସନ ହେଉଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତଳମୁଣ୍ଡରେ ଜଳ ପ୍ରବେଶ କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ନଦୀ ତଳ ଅଞ୍ଚଳରେ ନଦୀକୁ ନଯିବାକୁ ପରାମର୍ଶ ଜାରି କରିଛି ପ୍ରଶାସନ ।

ସବୁ ନଦୀର ଜଳ ସ୍ତର ବଢିଛି କିନ୍ତୁ ବିପଦ ସଙ୍କେତ ତଳେ ରହିଛି । କେବଳ ଜଳକା ନଦୀ ବିପଦ ସଙ୍କେତ ଉପରେ ରହିଛି । ଅନ୍ୟପଟେ ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ ଖୋଲିଲା । ଏବେ ମୋଟ ୨୦ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି । ଡ୍ୟାମକୁ ୩,୭୭,୩୧୭ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି ଡ୍ୟାମରୁ ୩,୩୦,୮୯୯ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

ଆସନ୍ତାକାଲି ମୁଣ୍ଡଳୀ ଠାରେ ଅଧିକ ଜଳ ପ୍ରବାହିତ ହେବ । ବୈତରଣୀ ନଦୀର ଜଳସ୍ତର ଆଖୁଆପଦା ନିକଟରେ ବଢୁଛି । ସେହିପରି ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳସ୍ତର । ରାଜ୍ୟରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଉଛି । ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ତିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା କାରଣରୁ ଜଳସ୍ତର ବଢିବାରେ ଲାଗିଛି ।

Exit mobile version