ନ୍ୟୁଜ୍ରାଜ୍ୟ

ଘର ସହ ଜୀଅନ୍ତା ଜଳିଗଲେ ମହିଳା ୱାର୍ଡମେମ୍ବର

ସତ୍ୟଶିଖା (ଜଗତସିଂହପୁର) ୧୬.୦୫.୨୦୨୨: ଘର ଜଳିଗଲା। ତା’ ସହିତ ଜଳିଗଲେ ମହିଳା ୱାର୍ଡମେମ୍ବର। ଆଜି ଏହି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତର ୧ ନମ୍ବର ୱାର୍ଡରେ। ମୃତ ୱାର୍ଡମେମ୍ବରଙ୍କ ନାଁ ସରସ୍ୱତୀ ସେଠୀ। ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ସରସ୍ୱତୀଙ୍କ ଘର ଜଳୁଥିବା ଦେଖି ଗାଁ ଲୋକେ ଅଗ୍ନିଶମ ବାହିନୀକୁ ଫୋନ୍ କରିଥିଲେ। ତିର୍ତ୍ତୋଲରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ସରସ୍ୱତୀଙ୍କୁ ଉଦ୍ଧାର କରିଥିଲେ।

ଆମ୍ବୁଲାନ୍ସ ଯୋଗେ ଗୁରୁତର ସରସ୍ୱତୀଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚୁଲିରୁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।

ଏହି ଘଟଣାବେଳେ ସରସ୍ୱତୀଙ୍କ ସ୍ୱାମୀ ଘରେ ନଥିଲେ। ତାଙ୍କ ଯା’ ଥିଲେ। ତେବେ ସେ ଚାଳ ଘରକୁ ଲାଗି ଥିବା ପକ୍କା ଘରେ ଥିଲେ। ସରସ୍ୱତୀଙ୍କ ପିଲାମାନେ ଓଡ଼ିଶା ବାହାରେ ରହନ୍ତି।

 

 

Show More
Back to top button