ସତ୍ୟଶିଖା ୧୪/୦୭/୨୦୨୫:ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ ରହିଛି। ଦୁଇ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସୋମବାର ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆକଳନ କହୁଛି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ଦେବଗଡ଼, ବଲାଙ୍ଗୀର, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି।
୧୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ ଭାରି ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଅଧିକ ବର୍ଷା ସମ୍ଭାବନା ଅଛି। ୧୭, ୧୮ ଓ ୧୯ ତାରିଖରେ ମଧ୍ୟ କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୧୩ରୁ ୧୯ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍ଡି ଆକଳନ କରିଛି। ରବିବାର ପାରାଦୀପରେ ୪୧ମିମି ବର୍ଷା ହୋଇଛି। ସୋନପୁରରେ ୨୪.୪ ମିମି ବର୍ଷା ହୋଇଛି। ଟିଟିଲାଗଡ଼ ଓ ବାଲେଶ୍ୱରରେ ୧୫.୩, ଭଦ୍ରକରେ ୮ମିମି ବର୍ଷା ରେକର୍ଡ ହୋଇଛି।