ଧନୁଆ ଓ କୁଶଭଦ୍ରା ନଦୀରେ ପ୍ରବାହିତ ହେଉଛି ବନ୍ୟା ପାଣି। ଯେଉଁଥିପାଇଁ ଗୋପ ବ୍ଲକର ଗଣେଶ୍ୱରପୁର ଶିଶୋ, ଗୋଲା ସାହି, ଦାମୋଦରପୁର, ସାନ ଡ଼ିହି ଆଦି ଗାଁର ଜଳମଗ୍ନ ହୋଇଛି। ଘର ଭିତରେ ପାଣି, ଘର ବାହାରେ ପାଣି। ଯେଉଁଠି ଦେଖିବେ ଖାଲି ବନ୍ୟା ପାଣି ଛଡ଼ା, ଅନ୍ୟ କିଛି ଦେଖିବାକୁ ମିଳିବ ନାହିଁ। ଏପରି ସ୍ଥିତିରେ ପୁରୁଷମାନେ ଯେଉଁଠି ପାରିବେ ହୁଏତ ଶୌଚ ହୋଇପାରିବେ। ହେଲେ ମହିଳା, ଝିଅ, ବୋହୂ, ବୃଦ୍ଧା ଓ ବୃଦ୍ଧମାନେ କେମିତି ଏବଂ କେଉଁଠି ଶୌଚ ଯିବେ?ତେଣୁ ଶିଶୋ, ଗୋଲା ସାହି, ଦାମୋଦରପୁର, ସାନ ଡ଼ିହି ଆଦି ଗାଁର ମହିଳା, ଝିଅ, ବୋହୂ, ବୃଦ୍ଧା ଓ ବୃଦ୍ଧମାନେ ଶୌଚ ହେବା ପାଇଁ ଡଙ୍ଗାରେ ଆସୁଛନ୍ତି। ସକାଳେ ଓ ସନ୍ଧ୍ୟା ବେଳେ ଏମାନେ ଡକାଡକି ହୋଇ ଡଙ୍ଗାରେ ଢ଼ିପ ସ୍ଥାନକୁ ଆସୁଛନ୍ତି। ସେଠାରେ ଶୌଚ ସାରି ପୁଣି ଘରକୁ ଫେରୁଛନ୍ତି। ବନ୍ୟା ପରଠାରୁ ପ୍ରତିଦିନ ଗାଁର ମହିଳା, ଝିଅ, ବୋହୂ, ବୃଦ୍ଧା ଓ ବୃଦ୍ଧମାନେ ଏମିତି ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି। ଏଭଳି ଦୃଶ୍ୟ ଆମ ସଭ୍ୟ ସମାଜର ବିଧି ବ୍ୟବସ୍ଥାକୁ ପଦାରେ ପକେଇଛି।
ଗାଁର ସୁକାନ୍ତି ମୁଦୁଲି, “ବନ୍ୟା ପାଣିରେ ସବୁ ଶୌଚାଳୟ ବୁଡ଼ି ଯାଇଛି। ଗାଁରେ ଅସୁବିଧା ଥିବାରୁ ଡଙ୍ଗାରେ ଆସୁଛି। ବାହାରେ ଝାଡା ବସି ଯାଉଛି। ଦିନକୁ ଦୁଇ ଥର ଆସିବାକୁ ପଡ଼ୁଛି। ଡ଼ର ଲାଗୁଥିଲେ ମଧ୍ୟ କଣ କରିବୁ? ଆମକୁ ଆସିବାକୁ ପଡ଼ୁଛି। କାରଣ ବନ୍ୟାରେ ଆମ ଶୌଚାଳୟ ବୁଡ଼ି ଯାଇଛି।”