

ସତ୍ୟଶିଖା ୧୮/୦୧/୨୦୨୧ : ପିଲା ପାଠ ନ ପଢ଼ିଲେ ସେମାନଙ୍କୁ ଶାସନ କରିବାର ଅନେକ ଉପାୟ ଅଛି । କିନ୍ତୁ ହାଇଦ୍ରାବାଦର ଜଣେ ବାପା ପୁଅକୁ ଦଣ୍ଡ ଦେବାକୁ ଯାଇ ନିଷ୍ଠୁରତାର ସବୁ ସୀମା ଟପିଯାଇଛି । ପୁଅ ପାଠ ନ ପଢ଼ିବାରୁ ତା’ ଦେହରେ ତାରପିନ୍ ତେଲ ଢାଳି ନିଆଁ ଲଗାଇ ଦେଇଛି ବାପା । ଏହି ଘଟଣା ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ୧୦ ବର୍ଷର ପୁଅ ପାଠ ପଢ଼ାରେ ମନଧ୍ୟାନ ନ ଦେବାରୁ ବାପା ଏପରି ନିଷ୍ଠୁର ପଦକ୍ଷେପ ନେଇଛି । ନିଆଁରେ ପୁଅର ୬୦ ପ୍ରତିଶତ ଶରୀର ପୋଡ଼ି ଯାଇଛି । ତାଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୁଲିସ ସୂଚନା ଦେଇଛି । ପୁଲିସ ସୂଚନା ଅନୁସାରେ, ପିଲାଟିର ବାପା ଜଣେ ଶ୍ରମିକ । ଘଟଣା ପରଠାରୁ ସେ ଫେରାର ହୋଇଯାଇଛି । ରବିବାର ରାତିରେ କୁକଟପଲ୍ଲୀ ହାଉସିଂ ବୋର୍ଡ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି ।