ଆଜି ପବିତ୍ର ଗୁରୁ ଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ ।


ସତ୍ୟଶିଖା ୦୫/୦୯/୨୦୨୫: ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ର ମାନ୍ୟତା ମିଳିଛି। ଜଣେ ମହାନ୍ ପଣ୍ଡିତ, ଦାର୍ଶନିକ ଓ ଭାରତରତ୍ନ ପ୍ରାପ୍ତ ରାଧାକୃଷ୍ଣନ୍ ତୁଳନାତ୍ମକ ଧର୍ମ ଓ ଦର୍ଶନ କ୍ଷେତ୍ରରେ ବିଂଶ ଶତାବ୍ଦୀର ବିଶିଷ୍ଟ ଭାରତୀୟ ବିଦ୍ବାନମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ।
ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ହେବା ପରେ ଡକ୍ଟର୍ ରାଧାକ୍ରିଷ୍ଣନ୍ ୧୯୬୨ ମସିହା ମେ ୧୪ ତାରିଖରେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ ଏବଂ ସଂପୂର୍ଣ୍ଣ ୫ ବର୍ଷ ଯାଏ ଏହି ଦାୟିତ୍ୱରେ ରହିଥିଲେ। ସେ ଚେନ୍ନାଇର ପ୍ରେସିଡେନ୍ସି କଲେଜ ଓ କଲିକତା ବିଶ୍ବବିଦ୍ୟାଳୟ ସମେତ ଦେଶର ଓ ଆନ୍ତର୍ଜାତିକସ୍ତରୀୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରିଥିଲେ। ଆଜି ଗୁରୁ ଦିବସ ଅବସରରେ ଶୁଭେଚ୍ଛାର ସୁଅ ଛୁଟୁଛି । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ମନେ ପକାଉଛି ସାରା ଦେଶ । ଏନେଇ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଶେଷ ଆୟୋଜନ କରାଯାଉଛି । ଶିକ୍ଷାଦାନ ବୃତ୍ତିରୁ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ହୋଇ ପରେ ‘ଭାରତ ରତ୍ନ’ ପାଇଥିବା ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ଭାରତୀୟ ଶିକ୍ଷା କ୍ଷେତ୍ରକୁ ସ୍ମରଣୀୟ ଅବଦାନ ରହିଛି।