ଭେଣ୍ଟିଲେଟରରେ ହକି କିମ୍ବଦନ୍ତୀ ବଲବୀର ସିଂହ ସିନିୟର


ନୂଆଦିଲ୍ଲୀ: ଭାରତୀୟ ହକି ଜଗତର କିମ୍ବଦନ୍ତୀ ତାରକା ବଲବୀର ସିଂହ ସିନିୟର ହୃଦଘାତର ଶିକାର ହୋଇଛନ୍ତି। ଏଥିପାଇଁ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲର ଭେଣ୍ଟିଲେଟରରେ ରଖାଯାଇଛି। ମଙ୍ଗଳବାର ସକାଳୁ ହିଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏଯାଏ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ୩ଥର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ବଲବୀର ସିଂହ ସିନିୟର ଆଜି ସକାଳ ୯ଟାରେ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ଅପଡେଟ ଦେବା ପୂର୍ବରୁ ୨୪ରୁ ୪୮ ଘଣ୍ଟା ପରୀକ୍ଷା କରିବେ ବୋଲି କୁହାଯାଉଛି।
ଆହୁରି ପଢ଼ନ୍ତୁ
୯୬ ବର୍ଷୀୟ ବଲବୀରଙ୍କୁ ଗତ ସପ୍ତାହରେ ମୋହାଲିର ଫୋରଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚଣ୍ଡିଗଡ଼ ସେକ୍ଟର ୩୬ ସ୍ଥିତ ତାଙ୍କ ବାସଭବନରୁ ବଲବୀରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେ ସେହିଠାରେ ହିଁ ରହିଥିଲେ। ସେତେବେଳେ ତାଙ୍କର କରୋନା ପରୀକ୍ଷା ହୋଇଥିଲା।
ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇ ନଥିଲା। ହେଲେ ଏବେ ସେ ହୃଦଘାତର ଶିକାର ହୋଇଛନ୍ତି।
୧୯୪୮,୧୯୫୨ ଓ ୧୯୫୬ରେ ଭାରତୀୟ ହକି ଟିମ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହି ଟିମ୍ରେ ବଲବୀର ସିଂହ ସିନିୟର ରହିଥିଲେ। ୧୯୫୬ ଅଲିମ୍ପିକ୍ସ ବିଜେତା ଟିମ୍ର ଅଧିନାୟକ ମଧ୍ୟ ବଲବୀର ରହିଥିଲେ।